ପୁରୀ: ଜଗତିକରଣ ପରେ ସାରା ବିଶ୍ବ ଏବେ ଗୋଟିଏ ହୋଇଛି । ବିଭିନ୍ନ ଦେଶର ଲୋକ ରୋଜଗାର ଉଦ୍ଦେଶ୍ୟ ନେଇ ଅନେକ ଦେଶରେ ବସବାସ କରୁଛନ୍ତି । ଭାଷା ଶିକ୍ଷା ମଧ୍ୟ ହୋଇଛି ଜଗତିକରଣ । ବିଭିନ୍ନ ବିକଶିତ ଦେଶର ଭାଷା ଏବେ ବିକାଶଶୀଳ ଦେଶର ଛାତ୍ରଛାତ୍ରୀ ଶିଖୁଛନ୍ତି । ଫଳରେ ଵିଦେଶୀ ଭାଷା ଶିକ୍ଷା ହାସଲ ପରେ ଉକ୍ତ ଦେଶରେ ଚାକିରୀ ସୁଯୋଗ ପାଉଛନ୍ତି । ଵିଦେଶୀ ଭାଷାର ଚାହିଦା ଯୋଗୁଁ ଏବେ ବିଭିନ୍ନ ସହରରେ ଏ ନେଇ କୋଚିଂ ଇନଷ୍ଟିଚ୍ୟୁଟ ଖୋଲିଛି । ଏହି କ୍ରମରେ ପୁରୀ ସହରରେ ଖୋଲିଛି ଜାପାନୀ ଭାଷା ଶିକ୍ଷା କେନ୍ଦ୍ର । ପୁରୀର ଚନ୍ଦ୍ରଶେଖର ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଜାପାନୀ ଭାଷା ଶିକ୍ଷା ଦିଆଯାଉଛି ।
ପୁରୀର ରେଲୱେ ଷ୍ଟେସନ ନିକଟ ରାମ ମନ୍ଦିର ନିକଟରେ ରହିଛି ଜାପାନୀ ଭାଷା ଶିକ୍ଷା କେନ୍ଦ୍ର । ରାଜ୍ୟର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବରେ ଚନ୍ଦ୍ରଶେଖର ଏକାଡେମୀ ପକ୍ଷରୁ ଜାପାନୀ ଭାଷା ଶିକ୍ଷା ଦିଆଯାଉଛି । 2004ରେ ପ୍ରତିଷ୍ଠା ହୋଇଥିବା ପୁରୀ ବାଲିଘାଇ ସ୍କୁଲରେ ମାଗଣାରେ ଛାତ୍ରଛାତ୍ରୀଙ୍କୁ ଜାପାନୀ ଭାଷା ଶିକ୍ଷା ଦିଆଯାଉଛି । ସ୍କୁଲର ପ୍ରତିଷ୍ଠାତା କୁନା ଦାସ ଦୀର୍ଘ ଦିନ ଧରି ଜାପାନରେ ରହିଥିଲେ । ସେ ଓଡିଶା ଫେରି ଛାତ୍ରଛାତ୍ରୀଙ୍କୁ ଜାପାନୀ ଭାଷା ଶିକ୍ଷା ଦାନ କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀ ଏବେ ଜାପାନୀ ଭାଷା ଶିକ୍ଷା ହାସଲ କରୁଛନ୍ତି । କାରଣ ଜାପାନ ଏକ ଉନ୍ନତ ଦେଶ ହୋଇ ଥିବା ବେଳେ ସେଠାରେ ଅନେକ ବଡ ବଡ କଂପାନୀ ରହିଛି । ଜାପାନୀ ଭାଷା ଶିଖିବା ଦ୍ବାରା ସେଠାରେ ଭଲ ନିଯୁକ୍ତି ମିଳୁଥିବା ଛାତ୍ରଛାତ୍ରୀ କହିଛନ୍ତି । ଜାପାନର ଶିକ୍ଷକ ମାନେ ଅନଲାଇନ କ୍ଲାସ ମାଧ୍ୟମରେ ଜାପାନୀ ଭାଷାର ଶିକ୍ଷା ଦେଉଛନ୍ତି ।
ଜଗତିକରଣର ପ୍ରଭାବ ସାରା ବିଶ୍ବରେ ପଡିଥିବା ବେଳେ ଯୁବ ପିଢ଼ି ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ବିକଶିତ ଦେଶର ଭାଷା ଶିକ୍ଷା କରି ଉକ୍ତ ଦେଶରେ ବଡ଼ ବଡ଼ ନିଯୁକ୍ତି ପାଇ ପାରୁଛନ୍ତି । ଏଣୁ ଅଭିଭାବକମାନେ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଭାଷା ଶିକ୍ଷା ହାସଲ ନେଇ ନିଜ ପିଲାଙ୍କୁ ଏ ଦିଗରେ ପ୍ରେରିତ କରିବାର ଆବଶ୍ୟକ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ