କଟକ: ସତ୍ୟବାଦୀ ଗୋପୀନାଥ ଦେବଙ୍କ ସମ୍ପତ୍ତିରୁ ଜବର ଦଖଲ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ କୋର୍ଟ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ଦିଆଯାଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି କୋର୍ଟ ।
ପ୍ରକାଶ ଥାଉକି ସତ୍ୟବାଦୀ ତହସିଲ ଅଧୀନ ପେଣ୍ଠପଡା ମୌଜାରେ ରହିଛି 2 ଏକର 74 ଡିସିମିଲ ଜମି । ଯାହା 1927 ମସିହାରେ ଗୋପୀନାଥ ଦେବଙ୍କ ନାମରେ ସାବକ ରେକର୍ଡରେ ରହିଥିଲା । ପରବର୍ତ୍ତୀ ସମୟରେ କେତେକ ବ୍ୟକ୍ତି ଏହି ଜମିକୁ ଜବରଦଖଲରେ ରଖିଛନ୍ତି ।
ଜବରଦଖଲରେ ରହିଥିବା ଜମିକୁ ଗୋପୀନାଥ ଦେବ ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରିବାକୁ ରାଜ୍ୟ ଦେବୋତ୍ତର କମିଶନର 2011ରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲାପାଳ ଏହାକୁ କାର୍ଯ୍ୟକାରୀ କରି ନଥିଲେ । ଫଳରେ ପୂର୍ବତନ ଟ୍ରଷ୍ଟବୋର୍ଡ ସଦସ୍ୟ ପ୍ରଫୁଲ ଚନ୍ଦ୍ର ମିଶ୍ର ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ ।
ଚଳିତ ମାସ (ସେପ୍ଟେମ୍ବର) 12ରେ (WPC4797/2019) ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଜବରଦଖଲ ଜମିକୁ ମନ୍ଦିରକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ସୂଚାରରୂପେ କାର୍ଯ୍ୟାକାରୀ କରାଗଲେ ମନ୍ଦିର ତାର ବହୁମୂଲ୍ୟ ସମ୍ପତ୍ତି ଫେରିପାଇବ ବୋଲି ଆଶା କରାଯାଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ