ପୁରୀ: ଗୋଶାଣୀ ପୂଜା ଓ ନାଗା ପୂଜାକୁ ନେଇ ପୁରୀ ସହର ଚଳଚଞ୍ଚଳ । ସାରା ରାଜ୍ୟରେ ଏବେ ପାର୍ବଣର ମାହୋଲ । ଧରାପୃଷ୍ଠକୁ ଜଗତ ଜନନୀ ମା’ ଦୁର୍ଗା ଅବତରଣ କରିଥିବା ବେଳେ ଚାଲିଛି ମା’ଙ୍କ ଆବାହନ ଓ ପୂଜାର୍ଚ୍ଚନା।
ଶ୍ରୀକ୍ଷେତ୍ର ପୁରୀରେ ଦୁର୍ଗା ପୂଜାକୁ ଏକ ଭିନ୍ନ ପରମ୍ପରା ଭାବେ ଶ୍ରୀକ୍ଷେତ୍ରବାସୀ ପାଳନ କରନ୍ତି। ଏଠାରେ ଶାରଦୀୟ ଦୁର୍ଗା ପୂଜାରେ ଗୋଶାଣୀ ଦେବୀଙ୍କୁ ପୂଜା କରାଯାଏ।
ସ୍ଥାନୀୟ ପରମ୍ପରା ଅନୁଯାୟୀ ଏଠାରେ ଦେବୀ ଦୁର୍ଗାଙ୍କୁ ଗୋଶାଣୀ ଭାବେ ନାମକରଣ ହୋଇଥିବା ବେଳେ ବେଶ ଧୁମଧାମରେ ଏହା ପାଳନ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଶ୍ରୀକ୍ଷେତ୍ରର ଏହି ନିଆରା ପରମ୍ପରା ଗୋଶାଣୀ ଯାତ୍ରା ଦେଖି ବାକୁ ପ୍ରତିବର୍ଷ ଆସନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବେ ଗୋଶାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ବିଶେଷ କରି ଗୋଶାଣୀ ମୂର୍ତି ଗୁଡିକ ଦେଖିବାକୁ ବେଶ ବିଶାଳକାୟ।
ମହିସାସୁରକୁ ଵଧ କରିବା ମୁଦ୍ରାରେ ଗୋଶାଣୀ ଦେବୀ ଅଧିଷ୍ଠିତ ହୋଇଥାନ୍ତି। ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଥିବା ମା ବିମଳାଙ୍କ ଷୋଡଶ ଉପଚାର ପୂଜା ଅନୁଯାୟୀ ଗୋଶାଣୀ ଦେବୀଙ୍କ ପୂଜାର୍ଚ୍ଚନାର ପରମ୍ପରା ରହିଛି। ସେହି କ୍ରମରେ ଆଜି ମଙ୍ଗଳବାର ମହାଷ୍ଟମୀ ନୀତି ଅନୁଷ୍ଠିତ ହେଉଛି। ତେବେ କୋଭିଡ କଟକଣା ହେତୁ ପୂଜା ମଣ୍ଡପ ଖାଁ ଖାଁ । ନା ରହିଛନ୍ତି ଭକ୍ତ ନା ରହିଛନ୍ତି ମଣ୍ଡପ କର୍ମକର୍ତା । ସୀମିତ ସଂଖ୍ୟକ କର୍ମକର୍ତାଙ୍କୁ ନେଇ ଗୋଶାଣୀ ପୂଜା ଅନୁଷ୍ଠିତ ହେଉଛି।
ସେପଟେ ଆଉ ଏକ ଅନନ୍ୟ ପରମ୍ପରା ହେଉଛି ନାଗା ପୂଜା । ଶ୍ରୀକ୍ଷେତ୍ର କାହିଁ କେଉଁ କାଳରୁ ନାଗା ମୂର୍ତ୍ତି ପୂଜା ହୋଇ ଆସୁଛନ୍ତି। ପୂର୍ବରୁ ସହ ସହ ବର୍ଷ ପୂର୍ବେ ଶ୍ରୀମନ୍ଦିରକୁ ଶତ୍ରୁ ଦାଉରୁ ରକ୍ଷା କରୁଥିଲେ ନାଗା ସାଧୁ। ନାଗା ସାଧୁ ମାନେ ବେଶ ବୀର ଥିଲେ । ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ। ପୁରୀ ସହରରେ ପରବର୍ତ୍ତୀ ସମୟରେ ନାଗା ଙ୍କୁ ମୂର୍ତ୍ତି ରୂପେ ପୂଜା ଆରମ୍ଭ ହୋଇଥିଲା । ଏହି ଦୁର୍ଗା ପୂଜା ସମୟରେ ବିଭିନ୍ନ ସାହିରେ ନାଗା ମୂର୍ତି ପୂଜା ହୋଇଥାଏ ।
ତେବେ ନାଗା ମୂର୍ତ୍ତି ପୂଜା ଯେତେ ଚର୍ଚ୍ଚିତ ଏହାର ମୂର୍ତ୍ତି ମଧ୍ୟ ସେତେ ଚର୍ଚ୍ଚିତ । 15ଫୁଟ ର ବିଶାଳ ନାଗା ମୂର୍ତ୍ତି ହୋଇ ଥାଏ । ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ନାହିଁ ନାଗା ଠିଆ ହୋଇଥିବା ମୁଦ୍ରା ର ମୂର୍ତ୍ତିକୁ ପୂଜା କରି କରାଯାଏ । ଏହି ନାଗା ମୂର୍ତ୍ତି ପୂଜା ଶ୍ରୀକ୍ଷେତ୍ରକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ତେବେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ନାଗା ମୂର୍ତ୍ତି ନିର୍ମାଣ ପରମ୍ପରା ଭଙ୍ଗ ହୋଇଛି। 15 ଫୁଟ ପରିବର୍ତେ ମାତ୍ର 4 ଫୁଟ ର ମୂର୍ତ୍ତି ତିଆରି ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ