ପୁରୀ: ସମ୍ଭାବ୍ୟ ବାତ୍ୟା ୟାସ' ନେଇପାରେ ଅବପାତ ରୂପ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ବାତ୍ୟା ୟାସ' କୁ ନେଇ ଚାଷୀଙ୍କ ମନରେ ଛନକା ପଶିଲାଣି । କିଭଳି ଚାଷ ଜମିରୁ ଧାନ ଫସଲ ଅମଳ କରି ତାକୁ ସୁରକ୍ଷିତ ସ୍ଥାନରେ ରଖିବ, ସେ ନେଇ ଚିନ୍ତା ପ୍ରକଟ କରିଛି । ପୁରୀ ଜିଲ୍ଲା ପିପିଲି ବ୍ଲକର କୁଳଶେଖର ପାଟଣା, ମଙ୍ଗଳପୁର, ଦୁର୍ଗାଦାଶପୁର, ସହଜପୁର, ତେଇଶିପୁର ଆଦି ପଞ୍ଚାୟତରେ ହେକ୍ଟର ହେକ୍ଟର ପାଚିଲା ଧାନ ଏବେ ମଧ୍ୟ ଚାଷଜମିରେ ପଡି ରହିଥିବାବେଳେ ଅମଳ ପାଇଁ ଶ୍ରମିକ ମିଳୁନଥିବା ନେଇ ଅଭିଯୋଗ ଆଣିଛନ୍ତି ଚାଷୀ ।
ମହାମାରୀ କୋରୋନା ସମୟରେ ଏଭଳି ଦୈବୀ ଦୁର୍ବିପାକ ପୁଣି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେବ ବୋଲି ଚାଷୀ ଅଭିଯୋଗ ଆଣିଥିବାବେଳେ ବିଭିନ୍ନ ପଞ୍ଚାୟତର ଚାଷୀ ଜମିରୁ ଧାନ ଅମଳ କରୁଥିବାର ଦେଖିବାକୁ ମିଳିଛି ।
ସେପଟେ ଗତ 2019 ମେ' ମାସରେ ଫନି ବାତ୍ୟାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଚାଷୀ ତାର କଷ୍ଟ ଅର୍ଜିତ ବର୍ଷକର ଆହାରର କ୍ଷତି ମଧ୍ୟ ସହିଥିଲା । ଏପରିକି ଆଜି ପର୍ଯ୍ୟନ୍ତ ଫନି ବାତ୍ୟାର ସହାୟତା ଚାଷୀ ପାଇ ନଥିବାବେଳେ ପୁଣି ଥରେ ବାତ୍ୟା ୟାସ' ଚାଷୀ ସମସ୍ୟାକୁ ଦ୍ଵିଗୁଣିତ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ