ପୁରୀ: ହସ୍ପିଟାଲ ଭିତରେ ନଳା ପାଣି । ଅବ୍ୟବସ୍ଥା ସୁଧୁରିବାର ନାମ ନେଉନି | ମୋ ସରକାର ଯୋଜନା ଓ 5'ଟି' ସଚିବଙ୍କ ଘନଘନ ଗସ୍ତ ପରେ ବଦଳୁନି ଜିଲ୍ଲାର ସ୍ବାସ୍ଥ୍ୟବସ୍ଥା। ଯଥା ପୂର୍ବଂ ତଥା ପରଂ ରେ ଚାଲିଛି ସମସ୍ତ କାର୍ଯ୍ୟ। ଏ ଅବସ୍ଥା ହେଉଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ।
ସୂଚନା ଅନୁସାରେ, ଗାନ୍ଧୀ ଜୟନ୍ତୀ ଠାରୁ 'ମୋ ସରକାର ଯୋଜନା' କାର୍ଯ୍ୟକାରୀ ସତ୍ବେ ପୁରୀ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟରେ ଏହାର କୌଣସି ପ୍ରଭାଵ ପଡୁନାହିଁ | ରବିବାର ସକାଳେ ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ରର 4 ଓ 5 ନମ୍ବର ୱାର୍ଡରେ ଆଣ୍ଠୁଏ ଉଚ୍ଚାର ନଳା ପାଣି ଭାସୁଥିବା ଦେଖିବାକୁ ମିଳିଥିଲା ।
ଏନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରାୟ ଦୁଇଘଣ୍ଟା ପରେ ସ୍ବେଛାସେବୀ ଅନୁଷ୍ଠାନ ସଖାର କର୍ମୀ ମାନେ ପହଞ୍ଚି ଏହି ନଳାପାଣି ନିଷ୍କାସନ ବ୍ୟବସ୍ଥା କରିଥିବାରୁ ସ୍ଥିତି ସ୍ବାଭାବିକ ହୋଇଥିଲା । ଏମସିଏଚ ବିଲଡିଂର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଅନେକ ସମୟରେ ନଳା ପାଣିରେ ୱାର୍ଡ ଭାସୁଥିବା ଦେଖାଯାଉଛି | ହେଲେ ଏହାର ନିରାକରଣ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ