ପୁରୀ: ରାଜରାସ୍ତାରେ କଳାକାର । ୭ଦଫା ଦାବି ନେଇ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଏବଂ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମିଳିତ ଭାବେ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୋରୋନା ମହାମାରୀର ପ୍ରଥମ ଲହରରୁ ଦ୍ଵିତୀୟ ଲହର ପର୍ଯ୍ୟନ୍ତ, ଲକଡାଉନ ଓ ସଟଡାଉନ ଯୋଗୁଁ ସମସ୍ତ ବର୍ଗର କଳାକାର ଦୁର୍ଦ୍ଦିନରେ କାଳ କାଟୁଛନ୍ତି ।
ଦୀର୍ଘ ୬ ମାସ ଧରି ସେମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ହିସାବରେ ୩୦ହଜାର ପ୍ରଦାନ, କଳାକାରଙ୍କୁ ଲୋନ ଦିଆଯିବା ନେଇ msme ଅନ୍ତର୍ଭୁକ୍ତ, ଚଳିତବର୍ଷ ଋଣ ନେଇଥିବା କଳାକାରଙ୍କୁ ଋଣ ଶୁଝିବା ପାଇଁ ୨ ବର୍ଷ ସମୟ, କଳାକାର ଭତ୍ତା ୧୨୦୦ରୁ ୩୦୦୦କୁ ବୃଦ୍ଧି ଆଦି ୬ଦଫା ଦାବି କରିଛନ୍ତି ।
ସେହିପରି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଲକଡାଉନ ଓ ସଟଡାଉନ ସମୟରେ କଳାକାର, ବିୟୁଟିପାର୍ଲର, ସେଲୁନ, ସ୍ପା ଓ ଚାଷୀଙ୍କର କ୍ଷତିଭରଣା ପାଇଁ ୧୧୦୦କୋଟିର ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି । ଚାଷୀମାନଙ୍କ ସୁରକ୍ଷା ଭତ୍ତା ପାଇଁ ମାସିକ ୫ ହଜାର ହିସାବରେ ୩୬ ଲକ୍ଷ ଚାଷୀ ପରିବାରକୁ ୨୧୬୦୦ କୋଟି ଦାବି କରାଯାଇଛି ।
ତେବେ ସରକାର ତୃତୀୟ ଲହରରେ ଲକଡାଉନ ଓ ସଟଡାଉନ ଘୋଷଣା କରିବେ ତେବେ ୬ ମାସର ପ୍ରାପ୍ୟ ପ୍ରଦାନ ସହ ପ୍ରତିମାସରେ ସମସ୍ତଙ୍କ ଜୀବିକା ଖର୍ଚ୍ଚ ବହନ କରିବାକୁ ଦାବି କରିଛନ୍ତି । ତେବେ ୧୫ଦିନ ମଧ୍ୟରେ ସେମାନଙ୍କ ଦାବି ମୁତାବକ ଅର୍ଥ ପ୍ରଦାନ କରା ନଗଲେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ