ପୁରୀ: ସମ୍ଭାବ୍ୟ ବାତ୍ୟା 'ୟସ' କୁ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ । ଏ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛି ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ପୂର୍ବ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲାପାଳ ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା 'ୟସ' କୁ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖାଯାଇଥିବାବେଳେ ରନ୍ଧା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା ହୋଇଛି । ସେହିପରି ବାତ୍ୟା ବିପର୍ଯ୍ୟୟକୁ ମୁକାବିଲା ନେଇ ଅଗ୍ନିଶମ ବିଭାଗ , ଓଡ୍ରାଫ ଓ NDRF ଟିମକୁ ପ୍ରସ୍ତୁତ କରି ରଖାଯାଇଛି । ବାତ୍ୟା ପରବର୍ତୀ ସ୍ଥିତି ପାଇଁ ସରପଞ୍ଚ, ବିଡ଼ିଓ, ତହସିଲଦାର, ବିଦ୍ୟୁତ ବିଭାଗ , ଜନସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯାଇଛି । ମାଇକ ଯୋଗେ ବିଭିନ୍ନ ମତ୍ସ୍ୟଜୀବୀ ବସ୍ତିରେ ପ୍ରଚାର କରାଯାଇଛି । ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ଦଙ୍ଗା ଓ ଟ୍ରଲର ଗୁଡିକ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାର ସମସ୍ତ ବାତ୍ୟା,ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ନିମନ୍ତେ ଜରୁରୀକାଳୀନ ବିଭାଗ, ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ କଟକଣା ଓ ନିୟମବଳୀକୁ କଡାକଡି ଭାବେ ପାଳନ କରାଯିବ। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି,ପାନୀୟ ଓ ଜଳଯୋଗାଣ, ପରିବହନ ବ୍ୟବସ୍ଥା, ନିରବଛିନ୍ନ ବିଦ୍ୟୁତ ଯୋଗାଣ,ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆଦି ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ତେବେ ବାତ୍ୟା ସମ୍ପର୍କରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସବୁକିଛି କରାଯାଉଛି। ତେବେ ଲୋକମାନେ ଅଯଥା ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶକୁ ମାନିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି। ସେପଟେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ଥିବା ହେତୁ ରଥ ଖଳା ଓ କାଠ କିଭଳି ସୁରକ୍ଷିତ ରହିବ ସେ ନେଇ ବ୍ୟବସ୍ଥା ହୋଇ ଥିବା ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ