ପୁରୀ: ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଜମି ଅନୁଧ୍ୟାନ କଲେ ଓଡିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ଇଞ୍ଜିନିୟର । ସତ୍ୟବାଦୀ ଐତିହାସିକ ବକୁଳବନରେ ଓଡ଼ିଆ ଵିଶ୍ଵବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଇବା ଲାଗିଛନ୍ତି । ସତ୍ୟବାଦୀ ଗୋପୀନାଥ ଦେଵଙ୍କ ମାଲିକାନାରୁ ୯.୬୦ ଏକର ଜମି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଵିଭାଗ ନାମରେ ରେକର୍ଡ ପ୍ରସ୍ତୁତ ହୋଇଛି । ଗତକିଛି ଦିନ ତଳେ ଓଡିଶା ନିର୍ମାଣ ନିଗମ ଦ୍ବାରା ପ୍ରସ୍ତୁତ କରାଯାଇଥିଵା ଏହି ପ୍ରକଳ୍ପର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ମିଳିଛି । ତେବେ ଆଜି ଉକ୍ତ ପ୍ରକଳ୍ପ ହେବା ସ୍ଥାନରେ ବୋରିଙ୍ଗ କରାଯାଇ ମାଟି ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି ।
ତେବେ ନକ୍ସା ମୁତାବକ ଜମିର ସରଜମିନ ଅନୁଧ୍ୟାନ କରିଵାକୁ ଓଡିଶା ସେତୁ ଓ ନିର୍ମାଣ ନିଗମର ଇଞ୍ଜିନିୟରମାନେ ସତ୍ୟବାଦୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗୋପୀନାଥ ମନ୍ଦିର ଠାରୁ ସେମାନେ ନକ୍ସା ଅନୁସାରେ ଠାକୁରଙ୍କ ରାଧାକୁଣ୍ଡ, ଵ୍ରହ୍ମଚାରୀ ବଗିଚା, ଖେଳପଡିଆ, ପଞ୍ଚଶଖା ସମାଧିପୀଠ, ସଲଗ୍ନ ବଉଳ ବାଟିକା, ବଳବିଦ୍ୟାଳୟ ଆଦି ବୁଲି ଦେଖିଥିଲେ । ଡିଜାଇନର ଚୁଡାନ୍ତ, ଟେଣ୍ଡର ପ୍ରକ୍ରିୟା ପରେ କାମ ଆରମ୍ଭ ହେବ ବୋଲି ମଧ୍ୟ ସେମାନେ ଆଶା କରିଛନ୍ତି ।
ଏଥିସହିତ ତାହା ମଧ୍ୟରେ ରହିଥିବା ଅଳ୍ପକେତେକ ଜଵର ଦଖଲ ଜମି ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବାକୁ କହିଛନ୍ତି । ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଜା ନାୟକ, ଗୋପୀନାଥ ଦେବଙ୍କ ଅମିନ ସୁବାଷ ଗଜେନ୍ଦ୍ର ଓ ସତ୍ୟବାଦୀ ସହକାରୀ ରାଜଶ୍ବ ନିରୀକ୍ଷକ କ୍ଷୀତିଶ କୁମାର ନାୟକ ପ୍ରମୁଖ ଏହି ଜମି ଚିହ୍ନଟ ଓ ଅନୁଧ୍ୟାନରେ ସାମିଲ ରହିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ