ପୁରୀ: ପିଢି ପରେ ପିଢି ଜନ୍ମ ନେବ ପୁଣି ସମୟ ସ୍ରୋତରେ ବିଦାୟ ନେଇଯିବ । ଦିନ, ବର୍ଷ, ମାସ, ଯୁଗ ବଦଳିଯିବ କିନ୍ତୁ ଜଗନ୍ନାଥ ରହିଥିବେ, କାଳିଆ ସାଆନ୍ତର ପରମ୍ପରା ଏମିତି ଚାଲୁଥିବ । ସେଇଥିପାଇଁ ତ ସମୟ ଥାଉ ଥାଉ ବାପ ପୁଅକୁ, ଜେଜେ ନାତିର ହାତ ଧରି ଶିଖାଇ ଦେଉଛି କିପରି ରଥ ପାଇଁ ଖୋଦେଇ ହୁଏ ସିଂହ ବରାଳ, ନର ବରାଳ ଆଉ କେମିତି ହୁଏ ତୁମ୍ବ ବିନ୍ଧ କାର୍ଯ୍ୟ । 5 ବର୍ଷର ପିଲାମାନଙ୍କୁ ରଥଖଳାକୁ ଆଣି ନିର୍ମାଣ କଳା ଶିକ୍ଷା ଦେଉଛନ୍ତି ।
ପରେ ଏହି ଛୋଟ ପିଲାମାନେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଦକ୍ଷତା ହାସଲ ପରେ ଯୁବକ ସମୟରେ ରଥ ନିର୍ମାଣ ଦାୟିତ୍ୱ ନେବେ, ଏହି ଭରସାରେ ରଥଖଳାକୁଆସୁଛନ୍ତି କଅଁଳ ଛୁଆ । ଏହି ପ୍ରଥା ପିଢ଼ି ପରେ ପିଢ଼ି ଚାଲି ଥିବାବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ଯୁଗ ଯୁଗ ଧରି ଶୃଙ୍ଖଳିତ ଭାବେ ଚାଲୁ ରହିଛି । ଏଇ ଯେମିତି ତାଳଧ୍ୱଜ ରଥର ରୂପକାର ସେବକ ଗଣେଶ୍ୱର ମହାପାତ୍ର । ବୟସ 81 ଛୁଇଁଲାଣି । ତଥାପି ବୟସକୁ ଖାତିର ନ କରି ପାରମ୍ପରିକ ମୁଗୁର, ବଟାଳି ଧରି ମହାପ୍ରଭୁଙ୍କ ରଥ ପାଇଁ ବିଭିନ୍ନ ଖୋଦେଇ କାର୍ଯ୍ୟ କରୁଛନ୍ତି ।
ତଥାପି କାଳ ଆସି ପହଞ୍ଚିବା ପୂର୍ବରୁ ଦୁଇ ନାତି ଓମ ଏବଂ ଦିବ୍ୟାଂଶୁଙ୍କ ହାତ ଧରି ଶିଖାଉଛନ୍ତି ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ । କିପରି ମହାପ୍ରଭୁଙ୍କ ରଥ ପାଇଁ ଖୋଦେଇ ହୁଏ ସିଂହ ବିରାଳ, ନର ବିରାଳ, କୋଣ ଗୁଜ, ନାଟ ଗୋଡ଼, ପ୍ରଭା ନିର୍ମାଣ କରାଯାଏ ତାହା ଶିକ୍ଷା ଦେଉଛନ୍ତି । ସେପଟେ ନାତିମାନେ ବି ବେଶ ଖୁସି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ତାଙ୍କର ବଂଶ ପରମ୍ପରା ହୋଇ ଥିବାବେଳେ ସେମାନେ ବଡ଼ ହୋଇ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ହେବେ ବୋଲି କହିଛନ୍ତି । ଏପରିକି ବଡ଼ ହେଲେ ଯଦି ଚାକିରି ବି କରନ୍ତି ତେବେ ରଥ ନିର୍ମାଣ ସମୟରେ ଛୁଟି ନେଇ ଆସିବେ ବୋଲି ଗଣେଶ୍ୱରଙ୍କ ନାତି ଓମ୍ କହିଛନ୍ତି ।
ସତରେ ରଥଖଳାର ଏ ଦୃଶ୍ୟ ବତାଉଛି ବଡ ଠାକୁରର ସେବା ପାଇଁ ଲୋଡା ହୁଏନି ଶକ୍ତି, ସାମର୍ଥ୍ୟ କି ବୟସ, କେବଳ ଆବଶ୍ୟକ ଟିକିଏ ଭକ୍ତି ଆଉ ଆବେଗ । ଏହିପରି ମହାପ୍ରଭୁ ଏବଂ ତାଙ୍କ ପରମ୍ପରା ଯୁଗେ ଯୁଗେ ରହିଥାଉ ବୋଲି ସଭିଙ୍କ କାମନା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ