ପୁରୀ: ଏବେ ଅଣସର ପିଣ୍ଡିରେ ଶ୍ରୀଜୀଉ । ଦଇତାପତି ସେବକମାନେ ମହାପ୍ରଭୁଙ୍କର କରୁଛନ୍ତି ଗୁପ୍ତ ସେବା । ତେବେ ଅଣସର ଦଶମୀ ତିଥିରେ ମଙ୍ଗଳବାର ମହାପ୍ରଭୁଙ୍କ ଚକା ବିଜେ ନୀତି ସମ୍ପନ୍ନ ହୋଇଛି । ମହାପ୍ରଭୁ ଶୟନ ଅବସ୍ଥାରେ ଗୋପନ ସେବା ପାଉଥିଲେ । ତେବେ ଚକା ବିଜେ ନୀତି ପରେ ମହାପ୍ରଭୁଙ୍କ ପାଖରେ ଦଶମୂଳ ପାଚନ ଲାଗିହେବ ।
ରାଜବୈଦ୍ୟ ବିଭିନ୍ନ ଜଡିବୁଟିରେ ପ୍ରସ୍ତୁତ ସ୍ବତନ୍ତ୍ର ଆୟୁର୍ବେଦ ଦଶମୂଳ ପାଚନ ମହାପ୍ରଭୁଙ୍କ ନିକଟରେ ପହଞ୍ଚାଇଛନ୍ତି । ଦଇତାପତି ସେବକମାନେ ଏହି ସ୍ବତନ୍ତ୍ର ଦଶମୂଳ ପାଚନକୁ ମହାପ୍ରଭୁଙ୍କୁ ସେବନ କରାଇବେ। ଏହା ଦ୍ବାରା ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେବେ। ଅଣସର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଓ ଓଷ ଲାଗି ହୋଇଥିଲା । ତେବେ ଏହି ସ୍ବତନ୍ତ୍ର ଜଡିବୁଟିରେ ପ୍ରସ୍ତୁତ ଦଶମୂଳ ପାଚନ ମହାପ୍ରଭୁ ସେବନ କରିବା ପରେ ସୁସ୍ଥ ହେବେ ଶ୍ରୀଜୀଉ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ