ପୁରୀ: ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଅୟୋଜନ ନେଇ ଆଶା ରହିଛି। ଯଦି ରଥଯାତ୍ରା ଅୟୋଜନ ହୁଏ ତେବେ ସେବାୟତ ମାନେ ମାସ୍କ ପିନ୍ଧିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ପହଣ୍ଡିରେ ନିୟୋଜିତ ଦଇତାପତି ସେବାୟତ ମାନେ ମାସ୍କ ବଦଳରେ ମୁହଁରେ ଭିଡ଼ିବେ ଆସାମୀ ଗାମୁଛା।
ଯେହେତୁ ପହଣ୍ଡି କଲା ବେଳେ ଦଇତାପତି ମାନେ ମାସ୍କ ପିନ୍ଧିବା ଦ୍ବାରା ନିଶ୍ବାସ ନେବାରେ ଅସୁବିଧା ହେବ ସେଥିପାଇଁ ନିଷ୍ପତ୍ତି ମୁତାବକ ଆସାମ ଗାମୁଛା ବ୍ୟବହାର ହେବ। ଏହି ଆସାମ ଗାମୁଛା ବେଶ ହାଲୁକା, ପତଳା ଓ କଟନ କପଡ଼ାରେ ପ୍ରସ୍ତୁତ । ଏହାକୁ ମୁହଁରେ ବାନ୍ଧିଲେ ପହଣ୍ଡି ବେଳେ ନିଶ୍ବାସ ନେବାରେ ସୁବିଧା ହେବ। ତେଣୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ମୁତାବକ ଚଳିତ ବର୍ଷ ପହଣ୍ଡି ବିଜେ ସମୟରେ ସେବାୟତ ମାନେ ମୁହଁରେ ଆସାମ ଗାମୁଛାକୁ ବ୍ୟବହାର କରିବେ ।
ସେବାୟତମାନେ ମୁହଁରେ ଏଭଳି ଗାମୁଛା ବାନ୍ଧିବାକୁ ବାଘମୁଣି ବା ବାଘମୁହଁ ବୋଲି କୁହାଯାଇଥାଏ । ସେବାୟତମାନେ ସାଧାରଣତଃ ଠାକୁରଙ୍କ ପାଇଁ ଭୋଗ ବୋହିବା ସମୟରେ ବାନ୍ଧିଥାନ୍ତି। ରାଜ୍ୟ ସରକାର ଏହି ଗାମୁଛା ଯୋଗାଇ ଦେବେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ