ହାଇଦ୍ରାବାଦ: ଧର୍ମର ମାସ କାର୍ତ୍ତିକ। ଏହି ମାସରେ ଧନନ୍ତ୍ବରୀ ପୂଜା, ନରକ ଚର୍ତ୍ତୁଦର୍ଶୀ, କାଳୀପୂଜା, ଦୀପାବଳୀ, ଗୋବର୍ଦ୍ଧନ ପୂଜା, ନାଗୁଣୀ ଚତୁର୍ଥୀ, ଗୋଷ୍ଠାଷ୍ଟମୀ, ଅଁଳାନବମୀ, ବଡ ଏକାଦଶୀ ଓ ରାସ ପୂର୍ଣ୍ଣିମା ଓଡିଆ ସଂସ୍କୃତି ପରମ୍ପରା ଅନୁଯାୟୀ ପାଳନ କରାଯାଉଛି। ତନ୍ମଧ୍ୟରେ ଅଁଳାନବମୀର ମହାତ୍ମ୍ୟ ନିଆରା। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଏହି ପର୍ବ ପ୍ରତିବର୍ଷ ସମାରୋହରେ ପାଳନ କରାଯାଉଛି। ଅଁଳା, ତୁଳସୀ ଓ ମାଳତୀ ବୃନ୍ଦବତୀଙ୍କର ତ୍ରୀଗୁଣ ରୁପରୁ ଗୋଟିଏ ଗୋଟିଏ। ରାକ୍ଷସ ଜରାଷନ୍ଧଙ୍କର ପତ୍ନୀ ବୃନ୍ଦବତୀ ଜଣେ ସତୀ ଓ ସ୍ବାଧୀ। ତାଙ୍କର ସତୀତ୍ବ ପ୍ରଭାବରୁ ଜରାଷନ୍ଧ ବଳବାନ ଓ ଅଜୟ ରହିଥିଲା। ଯେପର୍ଯ୍ୟନ୍ତ ବୃନ୍ଦବତୀଙ୍କର ସତୀତ୍ବ ଅପହରଣ ନହୋଇଚି, ଜରାଷନ୍ଧ ମରିବ ନାହିଁ ଏବଂ ଦେବ, ଦାନବ ଓ ମାନବଙ୍କୁ ହନ୍ତସନ୍ତ କରୁଥିବ। ଏଥିପାଇଁ ନାରାୟଣ ମାୟାରେ ଜଳନ୍ଧର ରୂପ ଧରି ବୃନ୍ଦାବତୀଙ୍କର ସତୀତ୍ବ ହରଣ କରିବାରୁ ଜରାଷନ୍ଧ ନିଧନ ହେଲା। ଛଦ୍ମବେଶୀ ନାରାୟଣଙ୍କର ମାୟା ଜାଣିବା ପରେ ବୃନ୍ଦାବତୀ ତାଙ୍କୁ ଅଭିଷାପ ଦେଇ ଅଗ୍ନିରେ ଝାସ ଦେଇଥିଲେ। ସତୀଙ୍କର ଆତ୍ମାରୁ ତିନି ବିଜ ଭୁପତିତ ହୋଇ ତିନିଗୁଣ ଅଁଳା, ତୁଳସୀ ଓ ମାଳତୀ ସୃଷ୍ଟି ହେଲେ। ଏହିସବୁ ସଂସାର ପାଳକ ବିଷ୍ଣୁଙ୍କ ମାୟାରୁ ହିଁ ଘଟିଥିଲା। ମାଳତୀ ଫୁଲର ତମଗୁଣ ହେତୁ ସେ ଲକ୍ଷ୍ମୀଙ୍କ ପ୍ରିୟ ହୋଇ ନପାରି ବନରେ ରହିଲା। ଦ୍ବାପର ଯୁଗରେ ବନଫୁଲ ହୋଇ ସେ ଶ୍ରୀକୃଷ୍ଣଙ୍କୁ ଲାଗି ହେଲା। କେବଳ ଅଁଳା ଓ ତୁଳସୀକୁ ଧରି ନାରାୟଣ ସ୍ବର୍ଗକୁ ଯାଇଥିଲେ। ବିଷ୍ଣୁଙ୍କ ଇଚ୍ଛାରେ ମାଳତୀ ମର୍ତ୍ୟ ଭୋଗ କଲେ, ଅଁଳା ମର୍ତ୍ୟ ଓ ସ୍ବର୍ଗ କିନ୍ତୁ ତୁଳସୀ ତ୍ରିପୁରରେ ପୂଜା ପାଇଲେ।
ଯାହାକି କାର୍ତ୍ତିକ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି।
“ଧାତ୍ରୀ ତୁଳସୀ ବୃକ୍ଷ ବେନୀ, ତାହାଙ୍କୁ ସଙ୍ଗତରେ ଘେନୀ।
ବୈକୁଣ୍ଠ ବିଜେ ଲକ୍ଷ୍ମୀପତି, ଅରଣ୍ୟେ ରହିଲେ ମାଳତୀ।।
ସେମାନଙ୍କର ନିଜସ୍ବ ଗୁଣାବଳୀର ସ୍ବତନ୍ତ୍ରତା ସମାଜରେ ପ୍ରତୀୟମାନ।
ଧାତ୍ରୀ ଛୟାରେ ଯେଉଁ ଜନ, କରିବ ଗୋବିନ୍ଦ କୀର୍ତ୍ତନ।
ଦଣ୍ତକେ ଦଶ ଯୁଗ ଲେଖି, ବୈକୁଣ୍ଠେ ବସି ହେବ ସୁଖୀ।
କାର୍ତ୍ତିକ ଧାତ୍ରୀ ବୃକ୍ଷ ତଳେ, ହବିସ ଅନ୍ନ ଏକ ବେଳେ।
ଯେ ଜନ କରିବ ଭୋଜନ, ତା ପାପ ହୋଇବ ଦହନ।
ଅଶ୍ବଚ ଦ୍ରବ୍ୟ ଥିଲେ ଭକ୍ଷି, ସେ ଦୋଷ ନରହିବ କିଛି।
ନିର୍ମଳ ହୋଇବ ସରିର, ତେଣୁ ଅଁଳା ନାମ ତାର।।
ଅଁଳା ତୁଳସୀ ମାଳତୀ, ଏ ତିନି ମୋର ପ୍ରିୟ ଅତି।
ବିଶେଷ ତୁଳସୀ ପ୍ରଧାନ, ସଂସାରେ ମୋହରି ସମାନ।।
ଏଣୁ କାର୍ତ୍ତିକ ପରି ଧର୍ମ ମାସରେ ଅଁଳା ଗଛ ମୂଳକୁ ଗୋବରରେ ଲିପି ପୂଜାର୍ଚ୍ଚନା କରାଯାଉଛି। ପ୍ରଭୁଙ୍କର ନାମ ଜପ କରି ଅଁଳା ବୃକ୍ଷ ପରିକ୍ରମା କରିଲେ ବିଷ୍ଣୁଙ୍କର ସାନିଧ୍ୟ ମିଳିଥାଏ। ରାଧାଙ୍କ ସହିତ ଅଁଳାଙ୍କର ସମ୍ପର୍କ ହେତୁ ଅଁଳା ନବମୀ ତିଥି ଧାର୍ମିକ ଦୃଷ୍ଟିରୁ ଗୁରୁତ୍ବ ପୂର୍ଣ୍ଣ। ଧର୍ମ ନାଁରେ ପ୍ରକୃତି ରୁପି ଅଁଳା ବୃକ୍ଷକୁ ପୂଜା କରାଯାଉଛି। ଆୟୁର୍ବେଦ ମତରେ ଅଁଳାର ଔଷଧୀୟ ଗୁଣ ପୃଥିବୀର ସର୍ବୋତ୍ତମ ଶ୍ରେଷ୍ଠ ମହୋଷଧି ଭାବରେ ବାର୍ଦ୍ଧକ୍ୟକୁ ଦୂର କରେ। ଏଣୁ ଅଁଳା ପୂଜା ବିଜ୍ଞାନ ଓ ଧାର୍ମିକ ଦୃଷ୍ଟିରୁ ଯଥାର୍ଥ।
- ଶ୍ରୀରାଧା ପାଦ ଦର୍ଶନ
ଉତ୍କଳୀୟ ବୈଷ୍ଣବ ପରମ୍ପରାରେ ଅଁଳା ନବମୀରେ ରାଧା ପାଦ ଦର୍ଶନର ବିଶେଷ ମହତ୍ବ ରହିଛି। ଏହି ଦିନ ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀ ଓଡିଆଣୀ ବେଶରେ ସଜ୍ଜିତ ହେଉଥିବାରୁ ବର୍ଷକୁ ଥରେ ଏହି ଦୁର୍ଲଭ ଦର୍ଶନ ପାଇଁ ଶ୍ରର୍ଦ୍ଧାଳୁଙ୍କ ସମାବେଶ ହୋଇଥାଏ। ଏକ ସତ୍ୟ ଘଟଣାର ସାକ୍ଷ୍ୟ ଦେବାକୁ ବୃନ୍ଦାବନ ଧାମରୁ କାଞ୍ଚି ରାଜ୍ୟକୁ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ। କାଞ୍ଚି ବିଜୟର ସ୍ମାରକୀ ଭାବରେ ଗଜପତି ରାଜା ପୁରୁଷୋତ୍ତମ ଦେବ ଗୋପାଳଙ୍କୁ ଶ୍ରୀମନ୍ଦିର ଅଗ୍ନି କୋଣରେ ରଖିଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ଶୁଖିଲା ଅମୁଣିଆକୁ ଉଚିଷ୍ଟ କରିବାରୁ ମହାପ୍ରଭୁଙ୍କ ସ୍ବପ୍ନାଦେଶ କ୍ରମେ ତତ୍କାଳୀନ ଗଜପତି ରାଜା ଶ୍ରୀରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କ ସହାୟତାରେ ରତ୍ନଚିରା ନଦୀତଟ ମଞ୍ଜୁଳ ଛୁରୀଅନା ଓ ନାରୀକେଳ କାନନରେ ଏକ ଛୋଟିଆ ମନ୍ଦିରରେ ରଖିଥିଲେ। ମୁଖ୍ୟ ମନ୍ଦିର 1861 ମସିହାରୁ ଆରମ୍ଭ ହୋଇ 1865 ମସିହାରେ ଶେଷ ହୋଇଥିଲା। ମନ୍ଦିରରେ ସାକ୍ଷୀଗୋପାଳ ଏକାକୀ ପୂଜା ପାଉଥିଲେ। ରାଧା ବିନା ନିସଙ୍ଗ ଜୀବନ ଯାପନ କରୁଥିବା ଠାକୁର ଓ ମନ୍ଦିର ବଡପଣ୍ଡା ବେଲେଶ୍ବର ମହାପାତ୍ରଙ୍କ କନ୍ୟା ଲକ୍ଷ୍ମୀ ସହିତ ନିବିଡ ସମ୍ପର୍କ ଗଢି ଉଠିଥିଲା। ନିଶାର୍ଦ୍ଧରେ ଲକ୍ଷ୍ମୀର ବାସ ଭବନକୁ ଯାଇ ନିତ୍ୟ ରାସ ରଚୁଥିବା ଠାକୁର ଏକଦା ସୁବର୍ଣ୍ଣ ବଂଶୀ ଛାଡି ଆସିଥିବା ଘଟଣାରେ ସେତେବେଳେ ବେଲ ମହାପାତ୍ରଙ୍କୁ ବଂଶୀ ଚୋରୀ ପାଇଁ ଦୋଶୀ କରାଯାଇଥିଲା। ଲକ୍ଷ୍ମୀର ଅବିକଳ ମୂର୍ତ୍ତୀ ନିର୍ମାଣ କରି ରାଧା ରୁପରେ ସ୍ଥାପନ କରିବାକୁ ଠାକୁର ରାଜାଙ୍କୁ ସ୍ବପ୍ନାଦେଶ ଦେଇଥିଲେ। ଦଶ ଶହଶ୍ର ରାମାଭିଷେକ ସୁବର୍ଣ୍ଣ ମଉଡରେ ରାଧା ପ୍ରତିମା ନିର୍ମାଣ କରାଯାଇଥିଲା। ପ୍ରତିମା ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀଙ୍କର ଦେହାନ୍ତ ହୋଇଥିଲା। ସେହିଦିନ ଅଁଳା ନବମୀ ତିଥି ରହିଥିବାର ବକୁଳ ବନ ରାଧା ସମ୍ପର୍କରେ ଜୀବନ୍ତ କିମ୍ବଦନ୍ତୀ ଏବେବି ଲୋକ ମୁଖରେ ପ୍ରଚାରିତ। ଏହି କିମ୍ବଦନ୍ତୀକୁ ଆଧାର କରି ବର୍ଷକୁ ଗୋଟିଏ ଦିନ ରାଧାରାଣୀଙ୍କୁ ଓଡିଆ ଘରର ବୋହୂ ଭଳି ପାରମ୍ପରିକ ବେଶ ପୋଷାକ ଓ ଅଳଙ୍କାରରେ ଭୂଷିତ କରାଯାଉଛି। ଏହି ବେଶରେ ପାଟ ଶାଢୀକୁ କାଣିଆ କଛା ମାରି ଶ୍ରୀରାଧାଙ୍କୁ ପରିଧାନ କରାଯାଇଥାଏ। ଫଳରେ ମା’ଙ୍କର ପାଦ ଯୁଗଳ ଦୃଶ୍ୟମାନ ହୋଇଥାଏ ଯାହାକୁ ଶ୍ରୀରାଧା ପାଦ ଦର୍ଶନ କୁହାଯାଏ । ଓଡିଆଣୀ ବେଶରେ ଝୁଣ୍ଟିଆ, ପାଉଜି, ଅଣ୍ଟାବିଛା, ନୋଥ, ଗୁଣା, ଚାପସରି, ସେବତୀ ହାର, କାନ ଫୁଲ, ବେଙ୍ଗ ପାଟିଆ, (ଅଁଳା ଓ ପୋହଳା ମାଳ), ବାଘନଖୀ, ତାବିଜ ଓ ଡେଉଁରିଆ ଆଦି 50 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଭୁଷିତ କରାଯାଇଥାଏ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ