ପୁରୀ: ବହୁ ବାଦବିବାଦ ପରେ ଶେଷରେ ନଇଁଲା ଶ୍ରୀମନ୍ଦିର ପ୍ରଶାସନ । ବଦଳାଇ ଦେଲା ନିଜ ନିଷ୍ପତ୍ତି । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ସମୟରେ ସମସ୍ତ ଟିଭି ଚ୍ୟାନେଲକୁ ମିଳିବ ସିଧାପ୍ରସାରଣ ଅଧିକାର । ଆଉ ଏଥିପାଇଁ ଚ୍ୟାନେଲ ଗୁଡିକୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ ।
ପୂର୍ବରୁ ସିଧାପ୍ରସାରଣ ପାଇଁ ବିଡିଂ ଆହ୍ବାନ କରିଥିଲା ମନ୍ଦିର ପ୍ରଶାସନ । ଗତକାଲି(ସୋମବାର) କିଛି ଟିଭି ଚ୍ୟାନେଲ ମଧ୍ୟ ପ୍ରସାରଣ ଅଧିକାର ପାଇବା ଲାଗି ଆବେଦନ କରିଥିଲେ । ତେବେ ପ୍ରଶାସନର ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ ହେବା ପରେ ମନ୍ଦିର ପ୍ରଶାସନ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି ।
ଏବେ ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡା, ସୁନାବେଶ ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସବୁର ସିଧା ପ୍ରସାରଣ ସମସ୍ତ ଚ୍ୟାନେଲ୍ କରିପାରିବେ ବୋଲି କୁହାଯାଇଛି । ତେବେ ଏନେଇ ସବୁ ଟିଭି ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଖୁବଶିଘ୍ର ଏକ ବୈଠକ କରିବ ବୋଲି ଜଣାପଡିଛି ।
ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ କରାଯାଇଥିବା ବିଡିଂ ବ୍ୟବସ୍ଥାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ପୁରୀର ଜଣେ ଆଇନଜୀବୀଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା କୋର୍ଟରେ ଦାୟର କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ