ପୁରୀ: ଶ୍ରୀକ୍ଷେତ୍ର ହେବ ବିଶ୍ବ ଐତିହ୍ୟ ସହର । ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପରେ ଆରମ୍ଭ ହୋଇଛି ଶ୍ରୀସେତୁ ନିର୍ମାଣ ଅଭିଯାନ। ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ ହୋଇଥିବାବେଳେ ସାମାଜିକ ପ୍ରଭାବର ନିର୍ଦ୍ଧାରଣ ନିମନ୍ତେ ନୋଟିସ ଜାରି ହୋଇଛି। ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲର 4ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ବର ସାହିଂ ନଂ 1, ଦାଣ୍ଡିମାଳ ସାହି ସର୍ବମୋଟ 34 ଏକର 246 ଡିସିମିଲ ବେସରକାରୀ ଜମି ଓ 3 ଏକର 738 ଡିସିମିଲ ସରକାରୀ ଜମି ଅଧିଗ୍ରହଣ କରାଯିବ।
ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ସହର ଭିତରକୁ ଗାଡି ଧରି ନ ଆସି ଶ୍ରୀସେତୁ ମାଧ୍ୟମରେ ସିଧାସଳଖ ମଙ୍ଗଳା ଘାଟରୁ ଜଗନ୍ନାଥ ବଲ୍ଲଭରେ ପହଞ୍ଚିବେ । ରାଜ୍ୟ ସରକାର ଅବଢା ଯୋଜନାରେ 19 କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇସାରିଛନ୍ତି । ଆଉ ଶ୍ରୀସେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ବିଜ୍ଞପ୍ତି ଜାରି ହୋଇଛି । ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନର ଉଚିତ ମୂଲ୍ୟ ଓ ସ୍ବଚ୍ଛତାର ଅଧିକାର ଆଇନ 2013ର ଧାରା 4 ଅନୁଯାୟୀ ସର୍ବେକ୍ଷଣ କରାଯିବ।
ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଏସଆଇଏ ସର୍ବେକ୍ଷଣ ସମାପନ କରିବ। ନିୟମ ଅନୁଯାୟୀ ସବୁ କ୍ଷତି ପୂରଣ ବିସ୍ଥାପିତଙ୍କୁ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ସେପଟେ, ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ନାଁରେ ନୋଟିସ ଜାରି ହୋଇଥିବାବେଳେ ସେମାନେ ଉପଯୁକ୍ତ କ୍ଷତିପୂରଣ ଦାବି କରୁଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ