ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉ ଅଣସର ଘରେ ରୁହନ୍ତି । ଏହି ସମୟରେ ପୁରୀ ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥାଏ । ହେଲେ ଏଥର ଅଣସରରେ ଅଲାରନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଏନେଇ ପ୍ରଶାସନର ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଅଣସର ଉପଲକ୍ଷେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଥିଲା । ତେବେ ସ୍ନାନଯାତ୍ରା ସମାପନ ପରେ ଭକ୍ତମାନେ ଚଳିତ ବର୍ଷ ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହ ଗଣମାଧ୍ୟମଙ୍କୁ ମଧ୍ୟ ମନ୍ଦିର ଭିତରେ ପ୍ରବେଶ ପାଇଁ ବାରଣ କରାଯାଇଛି ।
ବୈଠକରେ ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ, ବ୍ରହ୍ମଗିରି ତହସିଲଦାର, ଆଇଆଇସି ଓ ସେବାୟତ ନିଯୋଗ ଉପସ୍ଥିତ ଥିଲେ । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ପ୍ରଶାସନ ଏପରି ନିଷ୍ପତି ନେଇଥିବା କୁହାଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ