ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ କଲ୍ୟାଣ ଉପ ସମିତି ବୈଠକ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ନିରନ୍ତର 5 ବର୍ଷ ସେବା କରିଥିବା 60 ବର୍ଷରୁ ଊର୍ଦ୍ଧ୍ବ ସେବକମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବେ । ସେଥିପାଇଁ ଏକ ସ୍ୱତନ୍ତ୍ର ଗାଇଡ଼ଲାଇନ କରାଯାଇଛି । ସେହିପରି ସେବାୟତଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ପ୍ରଦାନ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ସେବାୟତ ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସାମିଲ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ସେବାୟତଙ୍କୁ ମାଗଣା ଔଷଧ ଯୋଗାଇ ଦେବା ପାଇଁ ଦୋଳ ବେଦୀ କୋଣରେ ଏକ ମେଡ଼ିସିନ କାଉଣ୍ଟର ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।
ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର ଗ୍ରୁପ ସି ଏବଂ ଡି ପାଇଁ ବାହାରୁଥିବା ଚାକିରୀରେ ଶିକ୍ଷିତ ସେବାୟତଙ୍କ ପାଇଁ ଚାକିରୀରେ ସଂରକ୍ଷଣ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ସେହିପରି ଦୀର୍ଘ ଦିନ ହେବ ଶ୍ରୀମନ୍ଦିରରେ ହେଉଥିବା ଅନୁଭବ ଯାତ୍ରା ବନ୍ଦ ଥିବାବେଳେ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯିବ । ଗରିବ ସେବାୟତଙ୍କ ପାଇଁ ବାସଗୃହ ଯୋଜନା, ପାଠପଢା ପାଇଁ ମେଧାବୃତ୍ତି ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହିସବୁ ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଓ ସରକାରଙ୍କ ସ୍ୱୀକୃତି ପରେ ସେବାୟତଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ହେବ ବୋଲି ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।
ସେପଟେ କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଜାନୁଆରୀ 31 ଯାଏଁ ବନ୍ଦ ଥିବାବେଳେ ପୁଣି କେବେ ଖୋଲିବ ସେନେଇ ଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ପୁରୀ ଜିଲ୍ଲାପାଳ । ବର୍ତ୍ତମାନ କୋଭିଡ ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ । ତେବେ କୋଭିଡ ସ୍ଥିତି ଦେଖି ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ