କଟକ: ବେଆଇନ ଭାବେ ଗାଡି ପାର୍କିଂ ପାଇଁ ଚାଲିଗଲା ୨ ଅମୂଲ୍ୟ ଜୀବନ । କଟକ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ଆଜି(ବୁଧବାର) ବଡି ଭୋରରୁ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଟାଙ୍ଗୀ ପୋଲିସ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି । ତେବେ ମୃତକଙ୍କ ପରିଚୟ ଏ ଯାଏଁ ମିଳି ପାରିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥର ତୃପ୍ତି ମୋଟର୍ସ ସାମ୍ନାରେ ଏକ ପିକଅପ ଭ୍ୟାନ ଚଣ୍ଡିଖୋଲ ଆଡୁ ଆସୁଥିଲା । ଏହି ସମୟରେ ରାସ୍ତାରେ ବେଆଇନ ଭାବେ ପାର୍କିଂ ହୋଇଥିବା ଏକ ଆଙ୍ଗେଲ ବୋଝେଇ ଟ୍ରଲର ପଛରେ ପିକଅପ ଭ୍ୟାନଟି ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଜାତୀୟ ରାଜପଥର ଆମ୍ବୁଲାନ୍ସ ଏବଂ ପାଟ୍ରୋଲିଂ ଭ୍ୟାନ ସେଠାରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ