କଟକ: ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ୩ଜଣ ବୁଡିଯିବା ଘଟଣା । ମିଳିଲା ୩ଜଣଙ୍କ ମୃତଦେହ । ଚୌଦ୍ୱାର ରୂପଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘଟିଥିଲା ଏପରି ଅଘଟଣ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି । ମୃତ ତିନି ଯୁବକଙ୍କ ନାମ ତ୍ରିଲୋଚନ ମହଲା, ନିଲୁ ସାହୁ ଓ ବାଦଲ ସାହୁ ବୋଲି ଜଣାପଡିଛି । ଏକ ନିର୍ଜନ ସ୍ଥାନରେ 5 ଜଣ ବନ୍ଧୁ ଏକାଠି ହେବା ଏବଂ ସେମାନଙ୍କ ମଧ୍ୟରୁ ପାଣିରେ ବୁଡି 3 ଜଣଙ୍କ ଜୀବନ ଯିବା ଘଟଣା ଏବେ ସନ୍ଦେହ ସୃଷ୍ଟି କରିଛି । ସେପଟେ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।
ଏହା ମଧ୍ୟ ପଢନ୍ତୁ: ଜଗତପୁର ପଟ୍ଟାମୁଣ୍ଡାଇରେ ଅଘଟଣ, କେନାଲରେ ଭାସି ୩ ଯୁବକ ନିଖୋଜ
ଅକାଳରେ ଲିଭିଗଲା ୩ ଜୀବନ ଦୀପ । ଏକାଠି ହୋଇ ଯାତ୍ରା ଦେଖିବାକୁ ଆସିଥିଲେ ଏବଂ ଏକାଠି ନେଲେ ସଲିଳ ସମାଧି । ଜୀବନ ଯାତ୍ରା ଶେଷ କରି ତିନି ଜଣ ହିଁ ଏକାଠି ହୋଇ ଚାଲିଗଲେ । ଜଗତପୁର ବାଦୁଡ଼ି ତୋଟା ନିକଟରେ ଘଟିଥିବା ଏହି ଅଘଟଣ ପୁରା ସହରରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ତ୍ରିଲୋଚନ ଓ ନିଲୁ ଚାଉଳିଆଗଞ୍ଜ ଅଞ୍ଚଳର ହୋଇଥିବାବେଳେ ବାଦଲଙ୍କ ଘର ଚୌଦ୍ୱାର ଅଞ୍ଚଳରେ ହୋଇଥିବା ଜଣାପଡିଛି । ରୁପଯାତ୍ରା ଦେଖିଫେରୁ ଥିବାବେଳେ ଏହି ଅଘଟଣ ଘଟିଥିଲା ।
ଏହା ମଧ୍ୟ ପଢନ୍ତୁ: ରାୟଗଡ଼ା ସହରବାସୀଙ୍କୁ ନୂଆବର୍ଷ ଭେଟି: କାର୍ଯ୍ୟକ୍ଷମ ହେବ ସିସିଟିଭି ଯୋଜନା, ସହର ଜଗିବ ୩ୟ ନୟନ
ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଜଣଙ୍କୁ ବୁଡିଯାଇଥିବା ଦେଖି 4 ଜଣ ପାଣିକୁ ଲମ୍ଫ ମାରିଥିଲେ । 2ଜଣ ସୁରକ୍ଷିତ ଭାବରେ ଉଦ୍ଧାର ପାଇଥିବା ବେଳେ 3ଜଣ ଭାସିଯାଇଥିଲେ । ତେବେ ପୁରା ଘଟଣାକୁ ନେଇ ନିଖୋଜ ଥିବା ନିଲୁ ସାହୁଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି । ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୁଧବାର ରାତିଠୁ ଖୋଜାଖୋଜି କରିବା ପରେ ଗୁରୁବାର ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ଜଗତପୁର ପୋଲିସ ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଲିସର ପ୍ରାଥମିକ ତଦନ୍ତ ମୁତାବକ କିଛି ଯୁବକ ବୁଧବାର ରାତିରେ ବାଦୁଡି ତୋଟାର ନିଛାଟିଆ ସ୍ଥାନରେ ଏକତ୍ରିତ ହୋଇଥିଲେ । ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଲା ତାହା ତଦନ୍ତ କଲେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, କଟକ