କଟକ: ଦାଦାବଟି ମାଗିବା ଅଭିଯୋଗରେ 3 ଗିରଫ । ବାଦାମବାଡ଼ି ପୋଲିସ ସୋମବାର ଦାଦାବଟି ମାଗିବା ଅଭିଯୋଗରେ ୩ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ସହଯୋଗୀ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ବାଦାମବାଡ଼ି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ଘର ନିର୍ମାଣ କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଦାଦାବଟି ଦେବାକୁ ମନା କରିବାରୁ ଅପରାଧୀ ମାନେ ଧମକ ଚମକ ଦେବା ସହ ବନ୍ଧୁକ ଦେଖାଇଥିଲେ । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏନେଇ ଅଗଷ୍ଟ ୨୨ ତାରିଖରେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ବାଦାମବାଡ଼ି ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ୩ ଅଭିଯୁକ୍ତ ମାନେ ସକିଲର ସହଯୋଗୀ ବୋଲି ଡିସିପି କହିଛନ୍ତି । ସେମାନଙ୍କ ଠାରୁ ୧୦ ହଜାର ଟଙ୍କା, ୪ ଟି ମୋବାଇଲ ଫୋନ, ଗୋଟିଏ ଏଟିଏମ ଜବତ କରାଯାଇଛି ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ