କଟକ: ରାଜ୍ୟରେ ଫାଇଲ୍ ତଳେ ପଡିରହିଛି ଅନେକ ହତ୍ୟାକାଣ୍ଡ । ନ୍ୟାୟଦାବି ନେଇ କିଏ ବିଧାନସଭା ସମ୍ମୁଖରେ ଆତ୍ମଦାହ ଉଦ୍ୟମ କଲାଣି ତ ଆଉ କିଏ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲାଣି । ଏହି ପରିପ୍ରେକ୍ଷୀରେ ଦେଖିବାକୁ ମିଳିଛି ଆଉ ଏକ ସମ୍ବେଦନଶୀଳ ଘଟଣା । ବାପା ଓ ମାଆଙ୍କ ହତ୍ୟାକାଣ୍ଡର ଦୋଷୀକୁ ଶୀଘ୍ର ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ପୁଅ ।
ସୂଚନା ମୁତାବକ କଟକ ଜିଲ୍ଲା ନୂଆ ବଜାରସ୍ଥିତ ବେଲେଶ୍ବର ଅଞ୍ଚଳରେ ହୋଇଥିଲା ଡବଲ୍ ମର୍ଡର । 2019 ମସିହା ଡିସେମ୍ବର 19 ତାରିଖ ସନ୍ଧ୍ୟା ସାଢେ 6ଟା ମସୟରେ ଅଞ୍ଚଳର ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଘଟଣାକୁ ବର୍ଷେ ପୁରିବାକୁ ଯାଉଥିଲେ ମଧ୍ୟ ଏଯାବତ୍ ଦୋଷୀକୁ ଗିରଫ କରିନାହିଁ ପୋଲିସ । ଯାହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଦମ୍ପତିଙ୍କ ପୁଅ ରବୀନ୍ଦ୍ର ସାମଲ । ଏଥିସହ ନ୍ୟାୟ ଦାବିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
![ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ](https://etvbharatimages.akamaized.net/etvbharat/prod-images/od-ctc-03-beleswarmurdermistry-avb-7204966_06122020134312_0612f_1607242392_49.png)
ରବୀନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ,' ଶୀଘ୍ର ମୋ ବାପାମାଆଙ୍କ ହତ୍ୟାକାରୀଙ୍କୁ ଗିରଫ କରାଯାଉ । ଘଟଣାକୁ କିଛିଦିନ ପରେ ବର୍ଷେ ପୁରିବ । ଏଯାବତ ପୋଲିସ ହାତ ଖାଲି । ଯେପରି ଅନେକ ସମ୍ବେଦନଶୀଳ ଘଟଣାକୁ ମୁଖ୍ୟମନ୍ତ୍ରୀ ନିଜେ ହିଁ ନ୍ୟାୟ ଦେବାପାଇଁ ଆଗେଇ ଆସନ୍ତି ସେହିପରି ମୋ ବାପାମାଆଙ୍କ ହତ୍ୟା କିଏ କରିଛି ତାହା ଶୀଘ୍ର ଲୋକଲୋଚନକୁ ଆଣନ୍ତୁ ।'
![ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ](https://etvbharatimages.akamaized.net/etvbharat/prod-images/od-ctc-03-beleswarmurdermistry-avb-7204966_06122020134312_0612f_1607242392_57.png)
ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ କି ସିବିଆଇ ଯେଉଁ ମାଧ୍ୟମରେ ହେଉ ନା କାହିଁକି ଶୀଘ୍ର ଏହି ମାମଲାରେ ପୂର୍ଣ୍ଣଛେଦ ପଡିବା ଦରକାର ବୋଲି ପୁଅ ରବିନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଆମ ପରିବାର ଶାନ୍ତିରେ ଶୋଇପାରୁନାହୁଁ ବୋଲି ସେ କହିଛନ୍ତି । ଅନ୍ୟପଟେ ମୃତ ଦମ୍ପତିଙ୍କ ଝିଅ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ସେ କହିଛନ୍ତି ।
![ବେଲେଶ୍ବର ମର୍ଡର ମିଷ୍ଟ୍ରି, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୁଅ](https://etvbharatimages.akamaized.net/etvbharat/prod-images/od-ctc-03-beleswarmurdermistry-avb-7204966_06122020134312_0612f_1607242392_402.png)
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ