କଟକ: ଓଡିଶାର ନୂଆ ଡିଜିପି ଭାବରେ ଦାୟିତ୍ବ ଗ୍ରହଣ କଲେ ସୁନୀଲ ବଂଶଲ । 1987 ମସିହା ବ୍ୟାଚ୍ ଏହି ଆଇପିଏସ ଅଧିକାରୀ ଆଜି(ଶୁକ୍ରବାର) ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ପୋଲିସ ମୁଖ୍ୟାଳୟରେ ନୂଆ ଡିଜିପିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରଯାଇଛି । ସୁନୀଲଙ୍କୁ ସେଠାରେ ସ୍ବାଗତ କରିଛନ୍ତି ବହୁ ବରିଷ୍ଠ ପୋଲିସ ଅଧିକାରୀ । ସମସ୍ତ ରେଞ୍ଜର, ଡିଜି ଓ ଡିଆଇଜି ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହିଛନ୍ତି ।
ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ଏନେଇ ଗତ ଡିସେମ୍ବର ୧୫ ତାରଖରେ ରାଜ୍ୟ ସରକାର କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୮୭ ବ୍ୟାଚ ଆଇପିଏସ ଅଫିସର ସୁନୀଲ ବଂଶଲଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ । ଗତ ୨୭ ତାରିଖରେ କେନ୍ଦ୍ର ସରକାର ବଂଶଲଙ୍କୁ କେନ୍ଦ୍ରୀୟ ଡେପୁଟେସନ ଦାୟିତ୍ବରୁ ମୁକ୍ତ କରିଥିଲେ । ଗତ ଡିସେମ୍ବର 8 ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଡିଜିପି ମନୋୟନ କମିଟି ବୈଠକ ।
ବୈଠକରେ ରାଜ୍ୟର ପୋଲିସ ଡିଜି ପଦବୀ ପାଇଁ ମୋଟ 12 ଜଣ ଯୋଗ୍ୟ IPSଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ ଜଣ IPSଙ୍କ ନାମ ସର୍ଟଲିଷ୍ଟ୍ ହୋଇଥିଲା । ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚ୍ର ପ୍ରଦୀପ କପୁର, ୧୯୮୭ ବ୍ୟାଚ୍ର ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚ୍ର ମନୋଜ କୁମାର ଛାବ୍ରାଙ୍କ ନାମ ରହିଥିଲା । ସୁନୀଲଙ୍କୁ ଡିଜିପି ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ।
IPS ସୁନୀଲ କୁମାର ବଂଶଲ ମୟୂରଭଞ୍ଜରେ ଏସପି ଭାବେ କାର୍ଯ୍ୟ କରି ସାରିଛନ୍ତି । ଏହାପରେ ସୁନୀଲ କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ । ସୁନୀଲ ୨୭ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଥିଲେ । ୧୯୮୮ ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସପି ଭାବେ କାର୍ଯ୍ୟାରମ୍ଭ କରିଥିଲେ ସୁନୀଲ ବଂଶଲ । ୧୯୯୪ରେ କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ । ୨୦୨୨ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଥିବାରୁ ବଂଶଲଙ୍କ ପାଇଁ ଏହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ