କଟକ: ସରକାର କୋଭିଡର ସଫଳ ମୁକାବିଲା କରିବା ପରେ ଏବେ ଚିନ୍ତା ବଢାଇଛି ମଙ୍କିପକ୍ସ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ମଙ୍କିପକ୍ସକୁ ବିଶ୍ବ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିବା ପରେ ଏହାର ଚିକିତ୍ସା ଓ ପ୍ରତିକାର ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ମେଡିକାଲରେ ମଙ୍କିପକ୍ସ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ କଟକ ବଡ଼ ମେଡିକାଲ ମଙ୍କିପକ୍ସ ଚିକିତ୍ସା ପାଇଁ ସବୁ ଦିଗରେ ରହିଛି ସଜାଗ ।
ଆଫ୍ରିକାନ ଦେଶରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ବିଶ୍ବର ୭୦ରୁ ଊର୍ଦ୍ଧ୍ବ ଦେଶରେ ପ୍ରବେଶ କରିସାରିଲେଣି । ଏପରିକି ଭାରତରେ ମଧ୍ୟ ୪ଟି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇସାରିଲେଣି । ଏହି ରୋଗର ସଠିକ ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କଟକ SCB ମେଡିକାଲରେ ସଂକ୍ରମଣ ରୋଗ ବିଭାଗରେ ୨ଟି ଆଇସୋଲେସନ କେବିନ, ICUରେ ୪ଟି ବେଡ୍ ରହିଛି ।
ଏହାଛଡ଼ା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି । ଏପରିକି SCBର ୫ଟି ବିଭାଗର ଡାକ୍ତରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଯେଉଁଥିରେ ମେଡିସନ, ଚର୍ମରୋଗ, ମାଇକ୍ରୋ ବାୟୋଲୋଜି, ଶିଶୁ ରୋଗ, ଏସପିଏମ ବିଭାଗ ରହିଛି । ଏହାଛଡ଼ା ଏହି ତମାମ ଦିଗ ଉପରେ ନଜର ଦେବା ପାଇଁ ଏକ ନୋଡାଲ ଅଫିସର ଦାୟିତ୍ବରେ ରହିଛନ୍ତି ।
ଯାହାଦ୍ବାରା ମଙ୍କିପକ୍ସ ରୋଗର ସଠିକ ଚିହ୍ନଟ ଓ ଚିକିତ୍ସା ହୋଇପାରିବ ବୋଲି କହିଛନ୍ତି ମେଡିସନ ବିଭାଗର ବିଭାଗୀୟ ମୁଖ୍ୟ । ତେବେ ମଙ୍କିପକ୍ସ ଏକ ଭାଇରାଲ ଇନଫେକସନ । ମଙ୍କିପକ୍ସ ହେବା ଦ୍ବାରା ପ୍ରଥମେ ଜ୍ଵର ହୋଇଥାଏ । ଶରୀରର ଗ୍ରନ୍ଥି ଫୁଲିଯିବା ଓ ଦେହ ସାରା ଫୋଟକା ହେବା ପରି ଲକ୍ଷଣ ଦେଖାଯାଇଥାଏ । ଅନେକ ସମୟରେ ଏହା ଜଟିଳ ଆକାର ଧାରଣ କରି ରକ୍ତ ସଂକ୍ରମଣ ଓ ମସ୍ତିଷ୍କ ସଂକ୍ରମଣ ମଧ୍ୟ କରିଥାଏ ।
ଯଦି ଶରୀରରେ ଏପରି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ତେବେ ପୂର୍ବରୁ ଯେଉଁମାନେ ବସନ୍ତ ରୋଗର ଟୀକା ନେଇଛନ୍ତି ସେମାନଙ୍କର ଏହିପ୍ରକାର ରୋଗ ହେବାର ସମ୍ବାବନା କମଥାଏ । ୧୯୭୫ ମସିହା ପରେ ଯେଉଁମାନେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞ । ଯଦିଓ ମଙ୍କିପକ୍ସକୁ ନେଇ ଆମ ଦେଶରେ ଚିନ୍ତାଜନକ ସ୍ଥିତି ଉପୁଜିନାହିଁ ତଥାପି ସତର୍କତା ଓ ସଚେତନତା ହିଁ ଏହି ରୋଗକୁ ନିୟନ୍ତ୍ରଣ କରିପାରିବ ।
ଇଟିଭି ଭାରତ, କଟକ