କଟକ: ସାରୁଅ ଜମି ବିବାଦ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜାଗୀମଙ୍ଗତ ପଣ୍ଡା। ସାରୁଅ ଜମି ପ୍ରସଙ୍ଗକୁ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ଥାନାରେ ରୁଜୁ ହୋଇଥିବା ମାମଲା ଉପରେ ଉଭୟ ଆଗୁଆ ଜାମିନ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଇଓଡବ୍ୟ୍ଲୁ ମାମଲାକୁ ରଦ୍ଦ କରିବା ପାଇଁ ଓଡିଶା ଇନଫ୍ରାଟେକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ ଗତ ନଭେମ୍ବର 20ରେ ହାଇକୋର୍ଟ ଖାରଜ କରିଥିଲେ। ଏହି ମାମଲାରେ ପ୍ରଥମରୁ ଜାଗୀ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଆବେଦନକାରୀ ନଥିଲେ।
ନଭେମ୍ବର 5 ତାରିଖରେ ମାମଲାର ଶୁଣାଣି ସମୟରେ ଜାଗୀ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଡିଶା ଏବଂ ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ପ୍ରମୋଟର ହୋଇଥିବାରୁ ଇଓଡବ୍ଲୁ ମାମଲାରେ ସେମାନଙ୍କ ଗିରଫଦାରୀ ଆଶଙ୍କା ରହିଛି ବୋଲି ଦର୍ଶାଯାଇଥିଲା।
ଏଥିସହ ଉଭୟ ସଂସ୍ଥାର ପ୍ରମୋଟର ହୋଇଥିବାରୁ ଏହି ମାମଲାରେ ଆବେଦନକାରୀ ହେବା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ ଏମାନେ। ନଭେମ୍ବର 20 ରେ ହାଇକୋର୍ଟ ମୂଳ ଆବେଦନକୁ ଖାରଜ କରିବା ସହ ଗିରଫଦାରୀ ଉପରେ ଅଙ୍କୁଶ ସମ୍ପର୍କିତ ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ। ଏହାପରେ ଉଭୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ