ନିଆଳି: ବୟସ ପାଖାପାଖି ୬୮ ଛୁଇଁଲାଣି । ତଥାପି ଥକି ନାହାଁନ୍ତି ସେ। ୩୦ ବର୍ଷର ଲମ୍ବା ଶିକ୍ଷକତା ମଧ୍ୟରେ ଅନେକ ଭବିଷ୍ୟତ ଗଢିଛନ୍ତି । ଆଉ ଚାକିରିରୁ ଅବସର ପରେ ଏବେ ପ୍ରକୃତି ସେବାରେ ନିଜକୁ ସାମିଲ କରିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ବସ୍ତିଆ ସାର। ଜଙ୍ଗଲ ଓ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ନେଇଛନ୍ତି ଅନେକ ପଦକ୍ଷେପ । ବିଶେଷ କରି ବର୍ତ୍ତମାନ ଖୁବ କମ ଦେଖାଯାଉଥିବା ବାଇ ଚଢେଇଙ୍କ ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ । ଆଉ ଏହି ଉଚ୍ଚକୋଟୀର ପଦକ୍ଷେପ ପାଇଁ ତାଙ୍କୁ ମିଳିଛି ପ୍ରଶଂସା ଓ ପୁରସ୍କାର । ଆମେ କହୁଛୁ କଟକ ଜିଲ୍ଲା ନିଆଳି ପୂର୍ବଖଣ୍ତ ଅଞ୍ଚଳର ଜଣାଶୁଣା ଆଦର୍ଶ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ପାବନୀ ବସ୍ତିଆଙ୍କ କଥା । ଯିଏକି ପ୍ରକୃତି ସୁରକ୍ଷା ପାଇଁ କରିଛନ୍ତି ଅନେକ କାର୍ଯ୍ୟକ୍ରମ ।
ଅଞ୍ଚଳରେ ତାଙ୍କ ନାଁଟି କାଫି । ନାଁରୁ ହିଁ କାର୍ଯ୍ୟର ଝଲକ ବାରି ହୋଇପଡେ । ୨୦୧୧ ଡିସେମ୍ବର ମାସରେ ଶିକ୍ଷକତାରୁ ଅବସର ଗ୍ରହଣ କରିଥିଲେ ପାବନି ବସ୍ତିଆ । ଏହାପରେ ବସି ରହି ନଥିଲେ । ହାତ ଗୋଡ ଯେମିତି କଥା କହୁଥାଏ ସବୁବେଳେ । ଶିକ୍ଷକତା ସମୟରେ ପାବନି ନିଜକୁ ସମାଜସେବା କ୍ଷେତ୍ରରେ ସାମିଲ୍ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି। କାରଗିଲ ଯୁଦ୍ଧ ସମୟରେ ଅର୍ଥ ସଂଗ୍ରହ କରିବା ହେଉ କି ୧୯୯୯ ମହାବାତ୍ୟା । ସବୁ ସମୟରେ ବିପନ୍ନଙ୍କୁ ସାହାଯ୍ୟର ହାତ ବଢେ଼ଇଛନ୍ତି ପାବନି ସାର । ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ବୃକ୍ଷରୋପଣ ବା ସଭା ସମିତି ସବୁଥିରେ ପାବନି ସାରଙ୍କ ଅନେକ ଉଲ୍ଲେଖନୀୟ ଅବଦାନ ରହିଛି ।
ବର୍ତ୍ତମାନ ବାୟା ଚଢେଇ ପ୍ରେମରେ ପଡିଛନ୍ତି ପାବନି ସାର । ବାୟା ଚଢେଇଙ୍କ ଘର ପାଲଟୁଥିବା ତାଳଗଛ ସୁରକ୍ଷାରେ ଲାଗିପଡିଛନ୍ତି ସେ । କିପରି ଅଧିକରୁ ଅଧିକ ତାଳଗଛ ରୋପଣ ହେବ ସେ ନେଇ ସବୁବେଳେ କାର୍ଯ୍ୟରତ ସେ । ୨୦୧୩ ମସିହାରୁ ଓଡିଶା ବାୟା ଚଢେଇ ସୁରକ୍ଷା ଅଭିଯାନରେ ମୁଖ୍ୟା ଦାୟିତ୍ଵ ନେଇଛନ୍ତି ସାର। ଏହି ସବୁ କାର୍ଯ୍ୟ ତାଙ୍କୁ ବହୁତ ଖୁସି ଦିଏ । ତାଙ୍କ ମହାନ କାର୍ଯ୍ୟ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି । ଜଣେ ଆଦର୍ଶ ଶିକ୍ଷକ, ପ୍ରକୃତି ପ୍ରେମୀ ଭାବରେ ଏକ ପରିଚୟ ପାଇଛନ୍ତି । ବାୟା ଚଢେଇ ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶହ ଶହ ପୁରସ୍କାର ପାଇଛନ୍ତି ସେ । ବୟସର ଅପରାହ୍ନରେ ସାରଙ୍କ ଏହି କାମ ଅନେକଙ୍କ ପାଇଁ ଉଦାହରଣ ନିଶ୍ଚତ ।
ନିଆଳିରୁ ଉମେଶ ଚନ୍ଦ୍ର ମାଲିକ, ଇଟିଭି ଭାରତ