କଟକ: ସାରା ଓଡିଶା ପାଳିବ ନେତାଜୀ ସୁବାଷ ବୋଷ ଙ୍କ ୧୨୫ତମ ଜନ୍ମ ଜୟନ୍ତୀ । ଆସନ୍ତା ୨୩ ଜାନୁଆରୀ ଦିନ ତାଙ୍କର ଜନ୍ମ ଦିବସକୁ ମର୍ଯ୍ୟାଦାର ସହ ପାଳନ କରାଯିବା । ଏହାସହ ଆଗାମୀ ଏକ ବର୍ଷ ବ୍ୟାପି ବିଭିନ୍ନ ଧରଣର କାର୍ଯ୍ୟକ୍ରମ ଗ୍ରହଣ ପାଇଁ ଆଜି(ବୁଧବାର) ଗାନ୍ଧୀ ଭବନ ଠାରେ ସୁବାଷ ଜନ୍ମ ଜୟନ୍ତୀ କମିଟି ପକ୍ଷରୁ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।
ଏହାସହ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମ ସ୍ଥାନରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହେବା ନେଇ ସ୍ପଷ୍ଟ କରିଛି କମିଟି। ସ୍ୱାଧୀନତାର ୭୪ ବର୍ଷ ପରେ ବି ଦେଶର ଜନସାଧାରଣ ଜୀବନ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ଗୋଟିଏ ଦିଗରେ ପ୍ରାଚୁର୍ଯ୍ୟର ପାହାଡ଼ ଆଉ ଅନ୍ୟଦିଗରେ ହାହାକାର । ନୀତି, ନୈତିକତା ଓ ସାମାଜିକ ମୂଲ୍ୟବୋଧର ସଙ୍କଟ ଆଜି ଛାତ୍ର, ଯୁବ ସମାଜକୁ ବିଭ୍ରାନ୍ତ ଓ ପଥଭ୍ରଷ୍ଟ କରୁଛି । ଜାତି, ଧର୍ମ, ସଂପ୍ରଦାୟ ଓ ଅଞ୍ଚଳକୁ କେନ୍ଦ୍ରକରି ଚାଲିଥିବା ସକିର୍ଣ୍ଣ ରାଜନୀତି ଦେଶର ସାଧାରଣ ଲୋକଙ୍କର ଐକ୍ୟ ଓ ଭ୍ରାତୃଭାବକୁ ଧ୍ୱଂସ କରିଚାଲିଛି ।
ଏ ଅବସରରେ ନେତାଜୀଙ୍କ ଫଟୋ, ଆଲୋଚନା ଚକ୍ର, ବିଭିନ୍ନ କଳାତ୍ମକ ପ୍ରଦର୍ଶନୀ କରାଯିବାର କାର୍ଯ୍ୟକ୍ରମ ହେବା ନେଇ ସଭାରେ ଆଲୋଚନା କରାଯାଇଛି ।ଏହି ସଭାରେ ସାରା ଓଡ଼ିଶା ନେତାଜୀ ସୁଭାଷ ୧୨୫ତମ ଜୟନ୍ତୀ କମିଟିର ସଭାପତି ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବୈଷ୍ଣବ ଚରଣ ତ୍ରୀପାଠୀ,ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ଡକ୍ଟର ସଚ୍ଚିନ୍ଦ୍ର ରାଉଳ ଓ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ