କଟକ: ଭସାଣି ସମୟରେ କଟକରେ ଗଣ୍ଡଗୋଳ । ଦଶହରା ପରେ କଟକରେ ମାଙ୍କୁ ମେଲାଣି ସମୟରେ ୨ ସାହି ମଧ୍ୟରେ ଗଣ୍ଡଗୋଳ । ବାଦାମବାଡ଼ି ଥାନା ଝାଞ୍ଜିରୀ ମଙ୍ଗଳାରେ ଭସାଣୀ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
ଉଭୟ ପକ୍ଷର ୨୦ ଜଣଙ୍କ ବିରୋଧରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଏଥି ସହ ସିସିଟିଭି ଯାଞ୍ଚ ଚାଲିଛି, ଫୁଟେଜରୁ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି । ତେବେ ଏହି ଘଟଣାକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ କୌଣସି ପ୍ରକାର ଗଣ୍ଡଗୋଳ ଦେଖିବାକୁ ମିଳିନାହିଁ ଏବଂ କଟକ ଦଶହରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ଡିସିପି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରବଳ ବର୍ଷାରେ ପୋଲିସ କର୍ମଚାରୀ ଦିନ ରାତି ଏକ କରି ନିଜ କର୍ତ୍ତବ୍ୟ ତୁଲାଇଛନ୍ତି ବୋଲି କହିଛନ୍ତି ଡିସିପି ।
ଏହା ମଧ୍ୟ ପଢନ୍ତୁ-ଭସାଣି ସମୟରେ କଟକରେ ଗଣ୍ଡଗୋଳ, ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ
ମିଳିଥିବା ସୂଚନା ଅନୁଯାୟୀ କଟକରେ ଗତ ୬ ତାରିଖ ଦିନ ମାଙ୍କୁ ମେଲାଣି ଦିଆଯାଉଥିଲା । ଏହି ସମୟରେ କଟକରେ ଝାଞ୍ଜିର ମଙ୍ଗଳା ହରିଜନ ସାହି ଓ କୁସୁନପୁର ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୁଇ ସାହି ମଧ୍ୟରେ ପଥର ମାଡ ହେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ସମୟରେ ସୁରକ୍ଷା ପାଇଁ ମୁତୟନ ଥିବା କିଛି ପୋଲିସ କର୍ମଚାରୀସାମାନ୍ୟ ଆହତ ହୋଇଥିଲେ । ଘଟଣାର ଦୁଇ ଦିନ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଏହି ଘଟଣା ନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇ କହିଥିଲେ ଯେ,'' ମୂର୍ତ୍ତି ବିସର୍ଜନ ନେଇ ଝାଞ୍ଜିରିମଙ୍ଗଳା ହରିଜନ ସାହି ଓ କୁସୁନପୁରସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୁଇଟି ସାହିର ଲୋକଙ୍କ ମଧ୍ୟରେ ଉତ୍ତେଜନା ହୋଇଥିବା ବେଳେ ଏହି କାରଣରୁ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ପୋଲିସ ଠିକ ସମୟରେ ପହଞ୍ଚି ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା ।"
କଟକରେ ମା'ଙ୍କ ମେଲାଣି ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଟ୍ରାଫିକ ବ୍ୟବସ୍ଥା ସହ ପ୍ରାୟ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ଭସାଣି ସମୟରେ ଯେପରି ଅନ୍ୟ କୌଣସି ଅଘଟଣ ନ ଘଟେ ତାହା ଉପରେ ସ୍ବତନ୍ତ୍ର ନଜର ରଖିଥିଲା ପୋଲିସ ।
ଇଟିଭି ଭାରତ, କଟକ