କଟକ: ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜୈନିକ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଉଛି, ପୀଡିତା ଜଣକ ଏନେଇ ଥାନାର ଆଶ୍ରୟ ନେବାକୁ ଯାଇଥିବା ବେଳେ ପୋଲିସ ସୁରକ୍ଷା ଦେବା ପରିବର୍ତ୍ତେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଛି। ଏପରିକି ପୋଲିସ ମାଡ଼ ମାରି ବୟାନ ବଦଳାଇବାକୁ କହିଥିବା ପୀଡିତା ଅଭିଯୋଗ କରିଛନ୍ତି।
ଗତ 3 ତାରିଖରେ ଗୋପାଳପୁର ଗ୍ରାମର ଜୈନିକ ଯୁବତୀ ପାଣି ଆଣିବାକୁ ଘର ନିକଟରେ ଥିବା ନଳକୂପକୁ ଯାଇଥିଲେ। ସେହି ସମୟରେ ଗ୍ରାମର ତିନିଜଣ ଯୁବକ, ତାଙ୍କୁ ଉଠାଇ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ତାଙ୍କୁ ଅପହରଣ କରି ସୁରଟ ଦାଦାନ ଖଟାଇବା କିମ୍ବା ଗଣ ଦୁଷ୍କର୍ମ ପାଇଁ ନେଉଥିବା ବେଳେ ଯୁବତୀ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଅପହରଣକାରୀଙ୍କ ଠାରୁ ଖସିଆସିଥିଲେ।
କୌଶଳକ୍ରମେ ଯୁବତୀ ଜଣଙ୍କ ଖୋର୍ଦ୍ଧା କାଇପଦରରେ ଥିବା ତାଙ୍କ ମାମୁଁ ଘରକୁ ଚାଲି ଯାଇଥିଲେ। ପରେ ପୀଡିତାଙ୍କ ମାମୁଁ ଖବର ଦେବାରୁ ବାଙ୍କୀ ପୋଲିସ ଓ ପରିବାର ଲୋକେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଏହି ଘଟଣା ଭିନ୍ନ ମୋଡ ନେଇଛି।
ପୀଡିତା ପରିବାର ବାଙ୍କୀ ପୋଲିସ ଷ୍ଟେସନକୁ ଯାଇ ଭେଟିବା ସମୟରେ ଥାନାର ମହିଳା କନେଷ୍ଟବଳ ମାଡ ମାରି ବୟାନ ବଦଳାଇବାକୁ ଚେଷ୍ଟା କରୁଥିବା ପୀଡିତାଙ୍କ ମା’ ଅଭିଯୋଗ କରିଛନ୍ତି। ପ୍ରଥମେ ହାତଗୋଡ ବାନ୍ଧି ବିଲରେ ଦୁଷ୍କର୍ମ କରିବା ସହ ସୁରଟ ନେଉଥିଲେ ଏବଂ ମହିଳା ପୋଲିସ ମାଡ ମାରି ବୟାନ ବଦଳାଇବାକୁ କହୁଥିବା ଅଭିଯୋଗ କରିଛନ୍ତି ପୀଡିତା । ଏହି ଘଟଣାକୁ ନେଇ ପୋଲିସ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାକୁ ରୋକଠୋକ ମନା କରିଦେଇଥିବା ବେଳେ ଭାରତୀୟ ପିଙ୍ଗଳ କୋଡ ଧାରା 305ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ