କଟକ:ଏଣିକି ଲୋକେ ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ । ଏନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’ ପ୍ରଣୟନ କରାଯାଇଛି । ଏହା ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ । ମାମଲା ଶୁଣାଣି ପ୍ରକ୍ରିୟା ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି/କର୍ମଚାରୀ କରିବେ । ମାମଲା ଶୁଣାଣିର ସିଧା ପ୍ରସାରଣ ସମ୍ପର୍କିତ ୱେବ୍ ଲିଙ୍କ୍ ହାଇକୋର୍ଟ ୱେବସାଇଟରେ ଏବଂ ସମ୍ପୃକ୍ତ ଖଣ୍ଡପୀଠଙ୍କ କଜ୍ଲିଷ୍ଟରେ ପ୍ରକାଶ ପାଇବ ।
ଜାଣନ୍ତୁ କେତେକ ମାମଲାକୁ ଏଭଳି ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି :-
ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧି, ପୋକ୍ସ ଆଇନ, ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍) ଆକ୍ଟ, ୨୦୧୫, ଆଇପିସିର ଦଫା ୩୭୬ ସମେତ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ମହିଳାଙ୍କ ସହିତ ଲିଙ୍ଗଭେଦ ସମ୍ପର୍କିତ ହିଂସା, ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ବା ଜାତୀୟ ସୁରକ୍ଷା ସମ୍ପର୍କିତ ମାମଲା, ହେବିୟସ କର୍ପସ, ଇନ୍ କ୍ୟାମେରା ପ୍ରୋସିଡିଂସ୍ ଓ ଅନ୍ୟ କେତେକ ମାମଲାର ସିଧା ପ୍ରସାରଣରୁ ବାଦ ଦିଆଯାଇଛି ।
ଏଥି ସହିତ କୌଣସି ମାମଲା ସିଧା ପ୍ରସାରଣ ପାଇଁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ମଧ୍ୟ ବାଦ ଦିଆଯିବ । ପକ୍ଷ, ଆଇନଜୀବୀ କୌଣସି ମାମଲାର ସିଧା ପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରି ପାରିବେ । ଯଦି ଖଣ୍ଡପୀଠ ଏପରି ଅନୁରୋଧକୁ ଉପଯୁକ୍ତ ବୋଲି ଗ୍ରହଣ କରନ୍ତି ତେବେ ସିଧା ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ ପାରିବେ । ନ୍ୟାୟର ସ୍ବାର୍ଥ ଦୃଷ୍ଟିରୁ ଜରୁରୀ ପରିସ୍ଥିତିରେ ମଧ୍ୟ ମାମଲା ଶୁଣାଣିର ସିଧା ପ୍ରସାରଣ ବନ୍ଦ ପାଇଁ ବିଚାରପତି ନିର୍ଦ୍ଦେଶ ଦେଇପାରିବେ ।
କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣକୁ କୌଣସି ବ୍ୟକ୍ତି ଅଧିକାର ବୋଲି ଦାବି କରି ପାରିବେ ନାହିଁ । ଲାଇଭ ଷ୍ଟ୍ରିମିଂ ଭିଡିଓର ଅନଧିକୃତ ବ୍ୟବହାର କରାଯାଇ ପାରିବ ନାହିଁ । କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣ କରାଯାଉଥିବା ଭିଡିଓକୁ ଅଦାଲତ ପ୍ରକ୍ରିୟାରେ ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ ଓ ଗ୍ରହଣୀୟ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ତେବେ ମାମଲା ଶୁଣାଣିର ସିଧା ପ୍ରସାରଣ ସମୟରେ କୌଣସି ଟିପ୍ପଣୀ, ମତାମତକୁ ଅଦାଲତ ପ୍ରକ୍ରିୟାର ଅଂଶ ଭାବେ ବା ଅଫିସିଆଲ ଭର୍ସନ ଭାବେ ଗ୍ରହଣ କରାଯିବ ନାହିଁ । ଖଣ୍ଡପୀଠଙ୍କ ରାୟ, ନିର୍ଦ୍ଦେଶ ଓ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ଏ ସମ୍ପର୍କିତ ସାର୍ଟିଫାଏଡ କପିକୁ କେବଳ ପ୍ରମାଣସିଦ୍ଧ ଭାବେ ଗ୍ରହଣ କରାଯିବ । ଅଦାଲତରେ ମାମଲା ଶୁଣାଣି ପ୍ରକ୍ରିୟାରେ ଅଂଶ ଗ୍ରହଣ ସମୟରେ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ