କଟକ: କେନ୍ଦ୍ରାପଡ଼ା ଖରସ୍ରୋତା ଆନ୍ଦୋଳନ । ଆନ୍ଦୋଳନକାରୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି । ୧୨୨ ଜଣଙ୍କୁ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ଶର୍ମାଙ୍କ ସମେତ ୧୨୨ଜଣଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି ।
ସୂଚନା ଅନୁଯାୟୀ, ୨୦୨୧ ଅଗଷ୍ଟ ୧୩ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଭାରିଗଦା ନିକଟସ୍ଥ ଖରସ୍ରୋତା ନଦୀ ଉପକଣ୍ଠରେ ନିର୍ମାଣଧୀନ ପ୍ରକଳ୍ପକୁ କେନ୍ଦ୍ର କରି ପୋଲିସ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଘଟଣାସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦର୍ଶାଇ ପୋଲିସ ନିଜ ଆଡ଼ୁ ରାଜକନିକା ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ ଘରୋଇ କମ୍ପାନି ପକ୍ଷରୁ ଆଉ ଏକ ଏତଲା ଦିଆଯାଇଥିଲା। ପୋଲିସ ୨୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମାଙ୍କ ସମେତ ୧୪୦ ଜଣ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।