କଟକ: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ହାଇକୋର୍ଟଙ୍କୁ ଜଣାଇଛନ୍ତି ରାଜ୍ୟ ସରକାର । ଆଜି ଡେଡଲାଇନ ଥିବାବେଳେ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବ(HSRP Deadline Extension) । ଭିତ୍ତିଭୂମି ବିକାଶ କରାଯିବ । ଜନସେବା, ମୋ ସେବା କେନ୍ଦ୍ର ଓ ପୋଷ୍ଟ ଅଫିସରେ ନମ୍ବର ପ୍ଲେଟ ବୁକିଂ ହେବ । ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ । ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ହାଇକୋର୍ଟରେ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।
ଆବେଦନକାରୀ ଖବରକାଗଜ ରିପୋର୍ଟ ଦେଖାଇ ଡିସେମ୍ବର ଯାଏଁ ସ୍ଲଟ ନାହିଁ ବୋଲି କହିଥିଲେ । ସମୟ ସୀମା ବୃଦ୍ଧି କରାଯାଉଥିବାରୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ଅପେକ୍ଷା କରିବାକୁ କହିବା ସହିତ ଅକ୍ଟୋବର ଶେଷ ସପ୍ତାହକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି । ସ୍ଥିତିରେ କଣ ସୁଧାର ଆସିଛି ସେନେଇ ପରବର୍ତ୍ତୀ ଶୁଣାଣି ବେଳେ ହାଇକୋର୍ଟରେ ତଥ୍ୟ ଦାଖଲ ହେବ । ଅକ୍ଟୋବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଏହାମଧ୍ୟ ପଢନ୍ତୁ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ, ୩୦ରେ ପରବର୍ତ୍ତୀ ଶୁଣାଣି
୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହୋଇଥିବ, ସେମାନଙ୍କର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ର (HSRP) ସମୟସୀମା ଆଜି ଥିଲା । ଫଳରେ ଅକ୍ଟୋବର ୧ରୁ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଥିଲା । HSRP କରି ନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୫ ରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । IMVର ଧାରା ୧୯୨ ଆକ୍ଟ ୧୯୮୮ ଅଧୀନରେ, ଯଦି ଉପରୋକ୍ତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିଟି HSRP ସହିତ ପଞ୍ଜିକରଣ ନହୁଏ, ତେବେ ଅପରାଧୀ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।
ଇଟିଭି ଭାରତ, କଟକ