କଟକ: ଓଡି଼ଶାର ପ୍ରାଣକେନ୍ଦ୍ର ହଜାର ବର୍ଷର ସହର କଟକ । ଐତିହ୍ୟ ଓ ଉତ୍କଳୀୟ ସଂସ୍କୃତିରେ ଗନ୍ତାଘର ବୋଲାଏ ଏହି ରୌପ୍ୟ ନଗରୀ । ଏହି ସହରରେ ସମାହିତ ହୋଇଛି ଅନେକ ଇତିହାସ । ହେଲେ ପର୍ଯ୍ୟଟନ ଦିଗରେ ସାମାନ୍ୟ ପଛୁଆ ଥିଲା ସହର । ଯେଉଁଥିରେ ପୂର୍ଣ୍ଣଚ୍ଛେଦ ପକାଇ ନୂଆ ଆଶାର କିରଣ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ କଟକକୁ ମିଳିଛି ଆଉ ଏକ ମାନ୍ୟତା । ବାଣିଜ୍ୟ ସହରକୁ ପର୍ଯ୍ୟଟନ ହବରେ ପରିଣତ କରିବା ପାଇଁ ହାଡିଆ ପଠାରେ ଆରମ୍ଭ ହୋଇଛି ସିଲଭର ସିଟି ବୋଟ କ୍ଲବ । ଯେଉଁଠାରେ ସାଧାରଣ ଲୋକେ ବିଭିନ୍ନ ପ୍ରକାର ଜଳକ୍ରୀଡାର ଆନନ୍ଦ ଉଠାଇ ପାରିବେ ।
ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଏହି ବୋଟିଂ କ୍ଲବର ଲୋକାର୍ପଣ କରିଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ 2 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସିଲଭରସିଟି ବୋଟ କ୍ଲବ । ସ୍ପିଡ ବୋଟ, ୱାଟର ସ୍କୁଟରରୁ ଆରମ୍ଭ କରି ପେଡାଲ ବୋଟ ପର୍ଯ୍ୟନ୍ତ ମୋଟ 36 ପ୍ରକାର ବୋଟିଂର ମଜା ଉଠାଇବେ ପର୍ଯ୍ୟଟକ । ଯାହାମଧ୍ୟରେ ସମୁଦ୍ରକୂଳରେ ବ୍ୟବହୃତ ଅନେକ ମଡେଲ ବୋଟ ମଧ୍ୟ ସ୍ଥାନ ପାଇଛି ।
କେବଳ ଯେ କଟକବାସୀ ଏହି ବୋଟିଂର ମଜା ନେଇପାରିବେ ତାହାନୁହେଁ, ନିକଟବର୍ତ୍ତୀ ଜିଲ୍ଲାରୁ ମଧ୍ୟ ଲୋକେ ଆସି ଏହାର ଭରପୂର ମଜା ଉଠାଇ ପାରିବେ । ତେବେ ଆଗକୁ ଆହୁରି ବୋଟ ମଧ୍ୟ ଏଠାକୁ ଅଣାଯିବ । ଯାହାଦ୍ବାରା ଏହି ପର୍ଯ୍ୟଟନସ୍ଥଳ ପ୍ରତି ବହୁମାତ୍ରାରେ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ । ଏହାଛଡା ମହାନଦୀର ଜଳ ଅତି ନିର୍ମଳ ଥିବା ଯୋଗୁଁ ଏଠାରେ ସ୍କୁବା ଡାଇଭିଙ୍ଗ ବି ଶିଖାଯାଇ ପାରିବ । ଏହି ବ୍ୟବସ୍ଥା ଦ୍ବାରା ଜଳକ୍ରୀଡାର ମାନ ଦ୍ବିଗୁଣିତ ହେବ ।
ଅନ୍ୟପଟେ ସରକାରଙ୍କ କଟକରେ ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟକୁ କରୁଛନ୍ତି । ତେବେ ଏହି ସିଲଭର ସିଟି ବୋଟ କ୍ଲବ କଟକର ପର୍ଯ୍ୟଟନ ଦିଗକୁ ସୁଦୃଢ କରିବାରେ ସହାୟକ ହେବ । ଯାହାକୁ ନେଇ କଟକବାସୀ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ