କଟକ: କିଛି ଦିନ ଧରି ନିଖୋଜ ଥିବା ତୁଷାରକାନ୍ତ ସାହୁଙ୍କ ମିଳିଲା ମୃତଦେହ । ଯୋବ୍ରା ଅନିକଟ ବ୍ୟାରେଜ ନିକଟରୁ ମୃତଦେହ ଭାସମାନ ଅବସ୍ଥାରେ ଉଦ୍ଧାର କରିଛି କମିଶନରେଟ ପୋଲିସ । 4 ତାରିଖରୁ କ୍ୟାଣ୍ଟନମେଣ୍ଟ ଥାନାରେ ନିଖୋଜ ମାମଲା ଦାୟର ହୋଇଥିଲାବେଳେ ଆଜି ଯାଏଁ ତୁଷାରକାନ୍ତଙ୍କୁ ଖୋଜୁଥିଲା ପୋଲିସ । ତେବେ ଆଜି(ଗୁରୁବାର) ଯୋବ୍ରା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, କଟକ ଚଣ୍ଡୀ ଛକରେ ପରିବାର ସହ ରହୁଥିଲେ ତୁଷାରକାନ୍ତ ସାହୁ । ସେ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ । ହେଲେ ଗତ 4 ତାରିଖରୁ ତୁଷାରକାନ୍ତ କୁଆଡେ ନିଖୋଜ ହୋଇ ଯାଇଥିଲେ । ଏନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ । ଏହାପରେ ପୋଲିସ ସବୁ ଦିଗରୁ ତଦନ୍ତ ପରେ ଫେଲ୍ ମାରିଥିଲା । ହେଲେ ଆଜି ଯୋବ୍ରା ବ୍ୟାରେଜ ନିକଟରେ ଏକ ମୃତଦେହ ଭାସମାନ ଅବସ୍ଥାରେ ଦେଖାଯାଇଥିଲା । ଘଟଣାସ୍ଥଳରେ ତୁଷାରକାନ୍ତଙ୍କ ପରିବାର ଲୋକେ ପହଞ୍ଚି ତାଙ୍କ ମୃତଦେହ ଚିହ୍ନଟ କରିଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଜଗତପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ