କଟକ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁକୁ ଅଯଥାରେ ଯୋଡ଼ା ଯାଉଛି ବୋଲି ଆଇନଜୀବୀ ଅକ୍ଷୟ କୁମାର ନାୟକ କହିଛନ୍ତି । ଅଭିଯୋଗକାରୀ କୋର୍ଟରେ ଯେଉଁ ପିଟିସନ ଦାଖଲ କରିଛନ୍ତି ଏବଂ ସେଥିରେ ଯାହା ଉଲ୍ଳେଖ କରିଛନ୍ତି ତାହା ତାଙ୍କର ପ୍ରଥମ ଏତଲା ସହ ମେଳ ଖାଉନଥିବା ମଧ୍ୟ କହିଛନ୍ତି ।
ସେଥିରେ ଉଲ୍ଳେଖ କରିଥିବା ଘଟଣା ପୂର୍ବରୁ ମଧ୍ୟ କୌଣସି ସ୍ଥାନରେ ଉଲ୍ଳେଖ କରିନଥିଲେ । ଏହା କେବଳ ମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆଣିବା ପାଇଁ କରାଯାଇଛି ବୋଲି ଆଇନଜୀବୀ କହିଛନ୍ତି । ମାହାଙ୍ଗା ଥାନାରେ 14 ଡିସେମ୍ବର 2018 ରେ ହୋଇଥିବା କେସ୍ ନମ୍ବର 235/18ରେ ଅଭିଯୋଗକାରୀ ରମାକାନ୍ତ ବରାଳ ଏବଂ ତାଙ୍କ ପିତା ସ୍ବର୍ଗତ କୁଳମଣି ବରାଳଙ୍କ ନାଁରେ ଏତଲା ରୁଜୁ କରାଯାଇଥିଲା । ହେଲେ ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ଯଦି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତାଙ୍କର ରାଜନୈତିକ ବିରୋଧୀ ତାହା ହେଲେ ସେ ସ୍ଥାନୀୟ ପୋଲିସକୁ କହି ତାଙ୍କୁ ଗିରଫ କରାଇ ପାରିଥାନ୍ତେ । କିନ୍ତୁ ତାହା ଏ ପର୍ଯ୍ୟନ୍ତ ହୋଇନାହିଁ । ତେଣୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ଆଇନଜୀବୀ ଅକ୍ଷୟ କୁମାର ନାୟକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ