କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେ.ଏମ.ଏଫ.ସି କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ମୃତ ତଥା ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ବାଳ ଓରଫ୍ ବାପି ବିଶ୍ବାଳଙ୍କ ମୋବାଇଲ୍ କଲ୍ ଡିଟେଲ ସଂଗ୍ରହ କରି କୋର୍ଟଙ୍କ ଅବଗତ କରାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେ.ଏମ.ଏଫ.ସି କୋର୍ଟ ।
ମହାଙ୍ଗା ଡବଲ ମର୍ଡର ଘଟଣାରେ ମୃତ୍ୟୁବରଣ କରିଥିବା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ପକ୍ଷରୁ କୋର୍ଟରେ ଦାଏର ହୋଇଥିବା ପ୍ରୋଟେଷ୍ଟ ପିଟିସିନର ଶୁଣାଣି ଅବସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏହି ପ୍ରୋଟେଷ୍ଟ ପିଟିସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଜବାଵକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି । ପୂର୍ବରୁ ଏହି ତିନି ଜଣଙ୍କ କଲ ଡିଟେଲସକୁ ତଦନ୍ତ ପରିସର ଭୁକ୍ତ କରିବାକୁ ରମାକାନ୍ତ ବରାଳ ପ୍ରୋଟେଷ୍ଟ ପିଟିସନ ଜରିଆରେ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ଏବଂ ଏହି ମାମଲାର ଶୁଣାଣି ଗତ ଡିସେମ୍ବର ଠାରୁ କୁଳମଣି ବରାଳଙ୍କ ହତ୍ୟା ତଥା ଫେବୃୟାରୀ ମାସ ପର୍ଯ୍ୟନ୍ତ ଏହି ତିନି ଜଣଙ୍କ ସିଡିଆରକୁ ୨ ମାସ ଭିତରେ କୋର୍ଟରେ ଦାଖଲ କରିବା ପାଇଁ ମାହାଙ୍ଗା ଥାନା ଅଧିକାରୀଙ୍କୁ ଗତ ଅଗଷ୍ଟ 25 ତାରିଖ ଦିନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୋଲିସ ସେହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେ.ଏମ.ଏଫ.ସିଙ୍କ କୋର୍ଟ ।
ଗତବର୍ଷ ସାରା ରାଜ୍ୟରେ ମହାଙ୍ଗା ଡବଲ ମର୍ଡର ଘଟଣା ଚର୍ଚ୍ଚିତ ହୋଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସଂପୃକ୍ତି ନେଇ ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ଥାନାରେ ୧୩ ତମ ମୁଦାଲା ଭାବରେ ଅଭିଯୋଗ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ