କଟକ: ଆଉ ଦିନ କେଇଟା ପରେ ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଜାଗର ପର୍ବରେ ରହିଛି ଦୀପର ସ୍ବତନ୍ତ୍ର ଭୂମିକା । ଦୀପଟିଏ ଜାଳି, ଭୋଳାନାଥଙ୍କ ପାଖରେ ସବୁ ଗୁହାରୀ-ଅଳି ଢାଳିଦେବାକୁ ବର୍ଷଟିଏ ଚାହିଁ ରହିଥାଏ ଭକ୍ତ । ତା' ସାଙ୍ଗକୁ ଏଥର ମଧ୍ୟ ହଟିଛି କୋଭିଡ କଟକଣା । ଫଳରେ ଚଳିତ ମହାଶିବରାତ୍ରୀରେ ବଢିଛି ଦୀପର ଚାହିଦା ।
ମହାଦେବଙ୍କ ପାଇଁ ଦୀପ ତିଆରି କରୁଥିବା କାରିଗରଙ୍କ ମଧ୍ୟରୁ ଚର୍ଚ୍ଚାରେ କଟକ ବିଡାନାସୀର ସୁରେନ୍ଦ୍ର ବେହେରା । ସୁରେନ୍ଦ୍ରଙ୍କ ହାତରେ ପ୍ରସ୍ତୁତ ହେଉଛି ଦେଢ କ୍ବିଣ୍ଟାଲ ଘିଅ ଧାରଣ କରିପାରୁଥିବା ବୃହତ୍ତମ ଦୀପ । ଏଥିପାଇଁ ଚଳିତବର୍ଷ ଦୀପ ଗଢା ପାଇଁ ଜୋରସୋରରେ ଲାଗିପଡିଛନ୍ତି କୁମ୍ଭାର ପରିବାର । ମାର୍ଚ୍ଚ ୧ ରେ ଅନୁଷ୍ଠିତ ହେବ ଜାଗର ଯାତ । ଦୀପ ତିଆରି କାମ ମଧ୍ୟ ଅଧା-ଅଧି ସରିଲାଣି । ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ସୁରେନ୍ଦ୍ର ତିଆରି କରୁଥିବା ସର୍ବବୃହତ୍ତ ଦୀପର କେବଳ ରଙ୍ଗ ଲଗା କାମ ବାକି ରହିଛି ।
ଚାଉଳିଆଗଞ୍ଜ ରାମଲୀଳା ସମିତି ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏହି ଦୀପ ଜାଳିବ । ସେପଟେ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ଛୋଟ-ବଡ ରଙ୍ଗୀନ ଦୀପ ମଧ୍ୟ ତିଆରି କରୁଛନ୍ତି ସୁରେନ୍ଦ୍ର । ଦୀର୍ଘ ୨ ମାସ ହେବ ଦୀପ ଗଢା କାମରେ ଲାଗି ପଡିଛନ୍ତି ସୁରେନ୍ଦ୍ରଙ୍କ ସମେତ ତାଙ୍କ ପରିବାର । କୋଭିଡ କଟକଣା ପାଇଁ ପୂର୍ବ ୨ ବର୍ଷ, ସମୂହ ଦୀପ ପ୍ରଜ୍ବଳନ ଏବଂ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିଲା । କିନ୍ତୁ ଏଥର କଟକଣା କୋହଳ କରାଯାଇଛି । ଫଳରେ ମନ ପସନ୍ଦର ଦୀପ ବରାଦ ଦେଉଛନ୍ତି ଗ୍ରାହକ ।
ତେବେ ଦୀର୍ଘ ଦୁଇ ବର୍ଷ ଧରି କୋରୋନା ମାଡରେ ଆର୍ଥିକ ପ୍ରହାର ସହିଥିବା କାରିଗର ଓଠରେ, ଏଥର ଫୁଟିଛି ହସ । ଗ୍ରାହକ ମଧ୍ୟ ଭୋଳାନାଥଙ୍କ ନିକଟରେ ଦୀପ ଜାଳିବାକୁ ଚାହିଁରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ