କଟକ: ଜାରି ରହିଛି କୋରୋନା ଆତଙ୍କ । ଲକଡାଉନ ଯୋଗୁଁ ଘରେ ବସିଛନ୍ତି ସମସ୍ତେ । ବାହାରକୁ ଯିବା ବନ୍ଦ । ସ୍କୁଲ, କଲେଜ ବନ୍ଦ । ଏପରି ସ୍ଥିତିରେ ବେଶୀ ପ୍ରଭାବିତ ହୋଇଛନ୍ତି ପିଲାଏ ।
ଘରେ ବସି ପଢି ପଢି ଲାଗିଲାଣି ବୋରିଂ । ସାଙ୍ଗସାଥୀଙ୍କ ସହ ଦେଖାସାକ୍ଷାତ ମନା । ଖେଳକୁଦ କଥା କିଏ ପଚାରେ । ସ୍କୁଲ ପରେ ଫୁଟବଲ, କ୍ରିକେଟ ଖେଳିବା ଏବେ ସ୍ବପ୍ନ । ତେବେ ଏହି ସମୟରେ ହଠାତ ଲୋକପ୍ରିୟ ହୋଇଛି ତାସ, ଚେସ, କ୍ୟାରୋମ, ଲୁଡୁ ଖେଳ । କେବଳ ପିଲା ନୁହଁନ୍ତି ଘରର ବଡ ବି ଦେଉଛନ୍ତି ସାଥ । ବିରକ୍ତ ଓ ବୋରିଂ ଦୂର କରିବାର ନୂଆ ଉପାୟ ପାଲଟିଛି ଇଣ୍ଡୋର ଗେମ୍ ।
ପୂର୍ବରୁ ହଜିଯାଇଥିବା ଏଇ ଖେଳଗୁଡିକ ଏବେ ପୁଣି ଫେରିଛି । କ୍ରିକେଟ, ହକି ପରି ଆଉଟ ଡୋର ଗେମ ଯୋଗୁଁ ହଜିଯାଇଥିଲା ପାରମ୍ପରିକ ଖେଳ । କିନ୍ତୁ ଲକଡାଉନରେ ପୁଣି ଫେରିଛି ଲୁଡୁ, ତାସ ଭଳି ଖେଳ । ବାହାରକୁ ଯିବା ଦରକାର ନାହିଁ କି ସାଙ୍ଗସାଥୀର ଆବଶ୍ୟକତା ନାହିଁ । ପିଲାଠୁ ବଡ ମାତିଛନ୍ତି ସମସ୍ତେ । ପରିବାରକୁ ଏକାଠି କରିଛି ଇଣ୍ଡୋର ଗେମ୍ ।
ଆଗରୁ ଯାହା ଖେଳିପାରୁନଥିଲେ ଏବେ ସେଥିରେ ବିତୁଛି ସମୟ । ଲକଡାଉନରେ ବଢିଛି ଘରୋଇ ଖେଳର ଚାହିଦା । ଥରେ ଲକଡାଉନ ହଟିଗଲେ ଏହି ସମୟକୁ ସମସ୍ତେ ମନେ ପକାଇବେ ନିଶ୍ଚିତ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ