କଟକ: ଓଡିଶା ପ୍ରଶାସନିକ ସେବା-୨୦୦୬ ପରୀକ୍ଷା ପ୍ରସଙ୍ଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ୨୦୧୪ ଏପ୍ରିଲ ୨୩ରେ ଦେଇଥିବା ରାୟକୁ ରଦ୍ଦ କରି ଦେଇଛନ୍ତି ଓଡିଶା ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ବରୁ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଯୋଗ୍ୟତା ତାଲିକାରୁ ବାଦ ପଡିଥିବା ୨୯ ଜଣ ପ୍ରାର୍ଥୀନୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ସ୍ୟାଟ୍ ୩୭୮ଟି ପଦବିରେ ନିଯୁକ୍ତି ପାଇଁ ପ୍ରସ୍ତୁତ ଚୂଡାନ୍ତ ଚୟନ ତାଲିକା ରଦ୍ଦ କରିଥିଲେ ।
୨୦୦୬ ମସିହାରେ ୩୭୮ଟି ଓଡିଶା ସିଭିଲ ସର୍ଭିସ ପଦବୀ ପାଇଁ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ଓଡିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦେଇଥିଲେ । ଆୟୋଗ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରି ପ୍ରିଲିମନାରୀ, ମେନ୍ ଓ ମୌଖିକ ପରୀକ୍ଷା କରିଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ କିଛି ପଦବୀକୁ ଜୁନିୟର କ୍ଲାସ 2ରୁ କ୍ଲାସ 1କୁ ଅପଗ୍ରେଡ କରିଥିଲେ ରାଜ୍ୟ ସରକାର । ୨୦୧୦ ମସିହାରେ ୩୭୮ ଜଣ କୃତୀ ପ୍ରାର୍ଥୀଙ୍କ ତାଲିକା ଓପିଏସସି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା ।
ବିଜ୍ଞପ୍ତିରେ ବାହାରିଥିବା ପଦବୀରେ ନିଯୁକ୍ତି ନ କରି ଅପଗ୍ରେଡ ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବାରୁ ଏହାକୁ ସ୍ୟାଟରେ ଚାଲେଞ୍ଜ ହୋଇଥିଲା । ୨୦୦୭ ମସିହା ବିଜ୍ଞପ୍ତିରେ ନିଯୁକ୍ତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କ ନିଯୁକ୍ତିକୁ ଅସାମ୍ବିଧାନିକ ବୋଲି ଦର୍ଶାଇ ସାନି ବିଜ୍ଞାପନ କରି ଆଉ ଥରେ ନିଯୁକ୍ତି ପ୍ରକ୍ରିୟା କରିବାକୁ ସ୍ୟାଟ କହିଥିଲେ । ସ୍ୟାଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।
ଏହାପରେ ଏହି ବିଜ୍ଞପ୍ତିକୁ ଆଧାର କରି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଭବିଷ୍ୟତ ହାଇକୋର୍ଟରେ ବିଚାରାଧୀନ ମାମଲାର ଫଳାଫଳ ଉପରେ ଲଟକି ରହିଥିଲା। ଆଜିର ଏହି ନିର୍ଦ୍ଦେଶନାମା ପରେ ନିଯୁକ୍ତ ଅଫିସରଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି । ଏହାର ଶୁଣାଣି କରି ଉଚ୍ଚନ୍ୟାୟାଳୟ ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବା ସହ ୩୭୮ ପଦକୁ ବୈଧ ଘୋଷଣା କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ