କଟକ: ଘରୋଇ ଇଞ୍ଜିନିୟରିଂ କଲେଜରେ ଖାଲି ପଡିଥିବା ସିଟ୍ ପୂରଣ ପାଇଁ ବାଟ ଫିଟିଛି । 2020-2021 ଶିକ୍ଷା ବର୍ଷ ଲାଗି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ବି-ଟେକ୍ (ଇଂଜିନିୟରିଂ) ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନୁମତି ପ୍ରସଙ୍ଗରେ କୌଣସି ପ୍ରକାର ବାଧା ସୃଷ୍ଟି ନ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି।
ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା (ଏଣ୍ଟ୍ରି ଲେଭଲ କ୍ବାଲିଫିକେସନ୍) ଓ ଏସଆଇସିଟିଇ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ଯୋଗ୍ୟତା ଆଧାରରେ ଘରୋଇ ଶିକ୍ଷାନୁଷ୍ଠାନରେ ସରକାର ଚଳିତ ବର୍ଷ ବି-ଟେକ୍(ଇଞ୍ଜିନିୟରିଂ) ପାଠ୍ୟକ୍ରମରେ ନାମଲେଖା ପାଇଁ ମାନଦଣ୍ଡ ସ୍ଥିର କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡିଶା ପ୍ରାଇଭେଟ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍(ଓପେକା) ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଖାଲି ପଡିଥିବା ସିଟ୍ ଗୁଡିକ ପୂରଣ ପାଇଁ ପଥ ପରିଷ୍କାର ହୋଇଛି।
ବି-ଟେକ୍ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇ ନଥିଲେ ମଧ୍ୟ ନାମଲେଖା ପାଇଁ ସୁଯୋଗ ପାଇ ପାରିବେ । ମାମଲାର ବିବରଣୀରୁ ପ୍ରକାଶ ଯେ 2020, ମାର୍ଚ୍ଚ ମାସରୁ ସାରା ଦେଶରେ କୋରୋନା ଭୂତାଣୁ ମାହାମାରୀ ନିଜ ପ୍ରଭାବ ଦେଖାଇଥିଲା। ଲକ୍ ଡାଉନ୍ ଓ ସଟ୍ ଡାଉନ ଭଳି ସ୍ଥିତିରେ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇ ପାରି ନଥିଲେ। ଅନ୍ୟପକ୍ଷରେ ଘରୋଇ ଇଞ୍ଜିନିୟରିଂ କଲେଜରେ ପ୍ରାୟ 20 ହଜାର ସିଟ୍ ପୂରଣ ହୋଇ ନପାରି ପଡି ରହିଥିଲା। ଏଭଳି ସ୍ଥିତିରେ ଓପେକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।
ବି-ଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ ହୋଇଥିବାବେଳେ କୋରୋନା ମହାମାରୀ ସ୍ଥିତିରେ ନିୟମ କୋହଳ କରାଯାଉ ବୋଲି ଓପେକା ଦର୍ଶାଇଥିଲା। ଆବେଦନକାରୀ ନିଜ ଦାବି ସପକ୍ଷରେ ଏଆଇସିଟିଇର 2020 ଅଗଷ୍ଟ 19ର ଏକ ବିଜ୍ଞପ୍ତି ରହିଛି ବୋଲି ଦର୍ଶାଇଥିଲେ।
ନାମଲେଖା ନିୟମ କୋହଳ ଓ ନାମଲେଖା ଅବଧି ବୃଦ୍ଧି ପ୍ରସଙ୍ଗରେ ବିଚାର କରି ନିଷ୍ପତ୍ତି ନେବାକୁ ଏଆଇସିଟିଇ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ 2020 ଡିସେମ୍ବର 24ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୋରୋନା ମହାମାରୀ ସ୍ଥିତିରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ନିୟମ କୋହଳ ଓ ସମୟ ସୀମା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପାରିବେ ବୋଲି ଏଆଇସିଟିଇ 2020 ଜାନୁଆରୀ 6ରେ ନିର୍ଦ୍ଦେଶ ଦେଇଥିଲା।
ସରକାର ବି-ଟେକ୍ (ଇଞ୍ଜିନିୟରିଂ) ପାଠ୍ୟକ୍ରମରେ ନାମଲେଖା ପାଇଁ ନିୟମ କୋହଳ କରି ନଥିଲେ। ଏଆଇସିଟିଇର ଅଗଷ୍ଟ 19 ବିଜ୍ଞପ୍ତି କେବଳ ପିଜିଡିଏମ/ଏମବିଏ ପାଠ୍ୟକ୍ରମ ସଂକ୍ରାନ୍ତରେ ବୋଲି ସରକାର କହିଥିଲେ। ଏଭଳି ସୁବିଧା ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଲାଗୁ ହେବା ନେଇ ଏଆଇସିଟିଇର କୌଣସି ମତାମତ ନାହିଁ ବୋଲି ସରକାର ଜାନୁଆରୀ 7ରେ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ।
ଏଆଇସିଟିଇ ବିଜ୍ଞପ୍ତି ଆଧାରରେ ସରକାର ଗୋଟିଏ ପଟେ ପିଜିଡିଏମ/ଏମବିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁମତି ଦେଉଥିବା ବେଳେ ଆବେଦନକାରୀ ଘରୋଇ ଅନୁଷ୍ଠାନ ଗୁଡିକୁ ବି-ଟେକ୍ (ଇଞ୍ଜିନିୟରିଂ) ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁମତି ନ ଦେବା ଗ୍ରହଣୀୟ ନୁହେଁ। ସରକାରଙ୍କ ଏପରି ନିର୍ଦ୍ଦେଶ ତ୍ରୁଟିପୂର୍ଣ୍ଣ ବୋଲି ହାଇକୋର୍ଟ କହିବା ସହିତ ଜାନୁଆରୀ 7ର ନିର୍ଦ୍ଦେଶକୁ ମଧ୍ୟ ରଦ୍ଦ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ