କଟକ: ଧୁମଧାମରେ ସରିଲା ଗଜାନନଙ୍କ ପୂଜା । ଦୀର୍ଘ ୨ ବର୍ଷ ପରେ କୋରୋନା କଟକଣା ନଥିବାରୁ ବିଘ୍ନନାଶକ ଗଣେଶଙ୍କୁ ଜାକଜକମରେ ସ୍ବାଗତ କରିଥିଲେ କଟକ ବାସିନ୍ଦା । ଆଉ ଏବେ ବିଘ୍ନନାଶକଙ୍କୁ ବିଦାୟ ଦେଲେ । ଆଜି ସକାଳୁ କଟକରେ ଗଣେଷ ପୂଜାର ଭଷାଣୀ ଆରମ୍ଭ ହୋଇଛି । ମୋଟ ୪ଶହରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ ପାଇଁ ତାଲିକା ହୋଇଥିଲାବେଳେ, ଆଜି ସକାଳଠୁ ଆରମ୍ଭ ହୋଇଛି ଏହି ଭସାଣୀ ପ୍ରକ୍ରିୟା । ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି ଅସ୍ଥାୟୀ ପୋଖରୀର ଆୟୋଜନ କରିଛି କଟକ ମହାନଗର ନିଗମ । ତେବେ ଏହି ସମୟରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ସଜାଗ ଥିଲା ପୋଲିସ ବିଭାଗ ।
ତେଣୁ ଆଇନ ଶୃଙ୍ଖଳା ପାଇଁ ମୋଟ ୩୦ଟି ପ୍ଲାଟୁନ ଫୋର୍ସ କଟକରେ ମୃତୟନ କରିଛି କମିଶନରେଟ ପୋଲିସ । ଏହାସହ କଟକର ସମସ୍ତ ଥାନାର ଅଧିକାରୀ ବିସର୍ଜନ ସମୟରେ ଉପସ୍ଥିତ ରହିଥିବାବେଳେ, ୨ଜଣ ଆଡିସନାଲ ଡିସିପିଙ୍କୁ ମଧ୍ୟ ମୁତୟନ କରାଯାଇଛି । ରାତି ୧୨ଟା ପର୍ଯ୍ୟନ୍ତ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଡିସିପି ପୀନାକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।
ଅନ୍ୟପଟେ ଏହି ପାର୍ବଣକୁ ଆଖିରେ ରଖି ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ କଟକର ବିଭିନ୍ନ ସ୍ଥାନରେ ଲଗାଯାଇଛି ସିସିଟିଭି । କମିଶନରେଟ୍ ପୋଲିସ, କଟକର ବିଭିନ୍ନ ପୂଜା କମିଟି ଓ କିଛି ବ୍ୟବସାୟିକ ଅନୁଷ୍ଠାନର ସହଭାଗିତାରେ କଟକର ହାୱାର୍ଡ଼ ମୋଟର୍ସ, ଏସିବି ମେଡ଼ିକାଲ, ବଜ୍ରକବାଟି ଓ ପଟାପୋଲ ଛକରେ ଲଗାଯାଇଛି ସିସିଟିଭି ।
ବର୍ତ୍ତମାନ ସୁଦ୍ଧା କଟକ ସହରରେ ୨ଶହରୁ ଅଧିକ ସିସିଟିଭି ଲଗାଯାଇଛି । ଆଗକୁ ଦୁର୍ଗାପୂଜା ଆସୁଥିବାରୁ ତା ପୂର୍ବରୁ ସହରରେ ୫ଶହ ସିସିଟିଭି ଲଗାଇବା ପାଇଁ ଯୋଜନା ରଖିଛି କମିଶନରେଟ ପୋଲିସ । ଢୋଲ ବଜାଇ ଗଜାନନଙ୍କୁ ଯେପରି ସ୍ବାଗତ କରିଥିଲେ ସେହିଭଳି ଆଜି ମଧ୍ୟ ବାଜା ବଜାଇ ପ୍ରଭୁ ଗଜାନନଙ୍କୁ ବିଦାୟ ଦେଇଛନ୍ତି ।
ତିନୋଟି ପର୍ଯ୍ୟାୟରେ ହେବ ଏହି ଭସାଣୀ ଉତ୍ସବ । ପର୍ଯ୍ୟାୟକ୍ରମେ ଆଜି ଏହା ପ୍ରଥମ ଭସାଣୀ ହୋଇଛି କଟକରେ । ୧୧ ତାରିଖ ଓ ୧୮ ତାରିଖରେ ଭସାଣୀ ହେବ । ତେବେ ମୂର୍ତ୍ତି ବିସର୍ଜନ ପାଇଁ ଯେଉଁ ଅସ୍ଥାୟୀ ପୋଖରୀକୁ ଚିହ୍ନଟ କରାଯାଇଛି ତାହାକୁ ପୂର୍ବରୁ ସଫା କରାଯାଇଥିଲା । ଏହାସହ ଏହି ଭସାଣୀ ସମୟରେ ଯେପରି କୌଣସି ଭାବେ ପରିବେଶ ଦୂଷିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି ।
ଇଟିଭି ଭାରତ, କଟକ