କଟକ: ଆରପାରିରେ ଜଣାଶୁଣା ପୂର୍ବତନ ରଣଜୀ କ୍ରୀଡାବିତ, ଜାତୀୟ ଫୁଟବଲ ରେଫରି ତଥା କ୍ରୀଡା ସାମ୍ବାଦିକ ଶ୍ୟାମାକାନ୍ତ ପଟ୍ଟନାୟକଙ୍କ ପରଲୋକ । ୮୪ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଓଡିଶା କ୍ରିକେଟ ସଂଘ ସମେତ ରାଜ୍ୟ କ୍ରୀଡା ପରିସରରେ ଶୋକର ଛାୟା ଖେଳିଯାଇଛି ।
ଶ୍ୟାମାକାନ୍ତ ଉଭୟ କ୍ରିକେଟ ଓ ଫୁଟବଲ ଖେଳରେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ସେ ବହୁ ମ୍ୟାଚରେ ଓଡିଶାରୁ ପ୍ରତିନିଧିତ୍ବ କରିଛନ୍ତି। ଜାତୀୟ ସ୍ତରୀୟ ଫୁଟବଲ ରେଫରି ଭାବେ ସେ ସୁନାମ ପାଇଥିଲେ । ପରବର୍ତ୍ତୀ ସମୟରେ କ୍ରୀଡାପ୍ରତିନିଧି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରରେ ରଣଜୀ ସିଜିନରେ ଅନେକ ମ୍ୟାଚ ଖେଳି ଓଡିଶା ପାଇଁ ଗୌରବ ଆଣିଛନ୍ତି ।
୧୯୯୭ରେ ବାର୍ତ୍ତା ସଂପାଦକ ଭାବରେ କାର୍ଯ୍ୟକରି ଅବସର ନେଇଥିଲେ ଶ୍ୟାମାକାନ୍ତ ପଟ୍ଟନାୟକ । ଏହା ସହିତ କ୍ରୀଡା ସାମ୍ବାଦିକ ସଂଘର ପ୍ରଥମ ସଭାପତି ଭାବେ ସୌଭାଗ୍ୟ ଅର୍ଜନ କରିଥିଲେ । କ୍ରୀଡା ସାମ୍ବାଦିକ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ସେ ସମ୍ମାନିତର ଅଧିକାରୀ ହୋଇଥିଲେ ।
ତାଙ୍କ ପରଲୋକରେ ଓଡିଶା କ୍ରିକେଟ ଆସୋସିଏସନ ଓ ଫୁଟବଲ ଆସେସିଏସନ ପକ୍ଷରୁ ଶୋକ ପ୍ରକାଶ ପାଇଛି । ଆତ୍ମୀୟସ୍ବଜଙ୍କ ଉପସ୍ଥିତିରେ ମରଶରୀରକୁ ଶୋଭଯାତ୍ରାରେ ନିଆଯାଇ କଟକ ଖାନନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ