କଟକ: ଏମ୍ସ ପ୍ଲସ ହେବାକୁ ଥିବା ଏସସିବି ମେଡ଼ିକାଲ ପାଇଁ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ । ପୂର୍ବରୁ ଯୋବ୍ରା ବ୍ୟାରେଜ ଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ରାସ୍ତାରୁ ଉଚ୍ଛେଦ ପରେ ରାସ୍ତା ସମ୍ପ୍ରସାରିତ ହୋଇ ସାରିଥିବା ବେଳେ ଆଜି ରାଣୀହାଟ ପୋଲ ଠାରୁ ଛତ୍ରବଜାର ପର୍ଯ୍ୟୃନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭଙ୍ଗାଗଲା ୨୦ରୁ ଅଧିକ ଉଠା ଦୋକାନ । ଏହି କ୍ରମରେ ଆଜି ପ୍ରଥମ ଦିନରେ ରାଣୀହାଟ ପୂଜା ମଣ୍ଡପ ନିକଟରେ ଥିବା ଉଠା ଦୋକାନୀଙ୍କ ଏକ ମାର୍କେଟକୁ ଉଚ୍ଛେଦ କରାଯିବା ସହ ଏହା ନିକଟରେ ଥିବା ଦୁଇଟି ଶୌଚାଳୟ ଭଙ୍ଗାଯାଇଛି । ତେବେ ଘର ପାଖରେ ବୁଲଡୋଜର ଚାଲିବା ଦୃଶ୍ୟକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଛି । ରାସ୍ତା ସମ୍ପ୍ରସାରଣ ଯୋଗୁଁ ଅନେକ ଘର ଭଙ୍ଗାଯିବା ପାଇଁ ଚିହ୍ନଟ ହୋଇସାରିଥିବା ବେଳେ ଘର ଭାଙ୍ଗିଲେ କୁଆଡେ ଯିବେ ସେହି ଚିନ୍ତାରେ ଅଛନ୍ତି ଲୋକେ । ସେପଟେ ସେଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂଆ କରି ତିଆରି ହୋଇଥିବା ଏକ କମ୍ୟୁନିଟି ସେଣ୍ଟରକୁ ଭଙ୍ଗାଯାଉଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ସର୍ଭେ କାମ ସରିବା ପରେ କେଉଁ ସ୍ବାର୍ଥରେ ଏହାକୁ ତିଆରି କରାଯାଉଥିଲା ଏବଂ ଏବେ କାହିଁକି ଭଙ୍ଗାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।
ଦୁଇ ଦିନ ତଳେ ଉଚ୍ଛେଦ ଲାଗି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ଅବଗତ କରାଯାଇଥିଲା । ଫଳରେ ଆଜି ସକାଳ ସୁଧା ଅଧିକାଶଂ ଉଠା ଦୋକାନୀ ନିଜ ନିଜର ଜିନିଷ ପତ୍ର ସେଠାରୁ ନେଇ ଯାଇଥିଲେ । ଫଳରେ ଉଚ୍ଛେଦ ପାଇଁ ପ୍ରଶାସନକୁ କୌଣସି ପ୍ରକାର ସମସ୍ୟାର ସମୁଖିନ ହେବାକୁ ପଡ଼ିଲା ନାହିଁ। ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ ପାଇଁ ଟେଣ୍ଡର ଶେଷ ହୋଇଥିବାରୁ ଯଥା ଶିଘ୍ର ଏଠାରେ ଉଚ୍ଛେଦ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖିଛି ପ୍ରଶାସନ । ତେବେ କେନାଲ କଡ଼ରେ ପ୍ରାୟ ୬୦ ଫୁଟ ଓସାର ରାସ୍ତା ଯିବାକୁ ଥିବାରୁ ଏହି ଅଞ୍ଚଳରେ ଥିବା ଅନେକ କୋଠା ମଧ୍ୟ ଭଙ୍ଗାଯିବ ବୋଲି ସ୍ପଷ୍ଟ ହୋଇଛି । ଉଚ୍ଛେଦ ପୂର୍ବରୁ ପ୍ରଭାବିତ ଲୋକଙ୍କୁ ଧାର୍ଯ୍ୟ ପ୍ୟାକେଜ ଅନୁସାରେ ଅର୍ଥ ଦିଆଯିବ ବୋଲି ସିଏମସି ଡେପୁଟି କମିଶନର କହିଛନ୍ତି । ସେପଟେ ଗତକାଲି(ଗୁରୁବାର) ଉଚ୍ଛେଦକୁ ବିରୋଧ କରୁଥିବା ଛତ୍ରବଜାର ବ୍ୟବସାୟୀ ସଂଘର ସ୍ବର ଆଜି ନରମ ପଡ଼ିଛି । ଜିଲ୍ଲା ପ୍ରଶାସନ ସହିତ ବୈଠକ ପରେ ବିରୋଧ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି ବ୍ୟବସାୟୀ ସଂଘ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ