ଭୁବନେଶ୍ବର: ଦୈନିକ ଖବର କାଗଜ ସମାଜକୁ ପୁରିଛି ଶହେ ବର୍ଷ । 1919ରୁ 2019 । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଏକ ଖବରକାଗଜ ହୋଇ ରହିନାହିଁ, ଓଡିଶାର ଜନଜୀବନରେ ଏକ ଅଙ୍ଗ ହୋଇଯାଇଛି । ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଏହି ମାନସ ସନ୍ତାନ ଆଜି ପାଳନ କରୁଛି ଗୌରବମୟ 100ବର୍ଷ ପୂର୍ତ୍ତୀ ଉତ୍ସବ । ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ କଟକରେ ପହଞ୍ଚିଛନ୍ତି ମହାମହିମ ଉପ-ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।
ଉତ୍ସବରେ ଉପ-ରାଷ୍ଟ୍ରପତି ଓଡିଆ ଭାଷାରେ ନିଜ ବକ୍ତବ୍ୟ ଆରମ୍ଭ କରି ‘ସମାଜ’ର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନ ପାଇଁ ଶୁଭେଛା ଜଣାଇଛନ୍ତି । ଉପ-ରାଷ୍ଟ୍ରପତି କହିଛନ୍ତି ସମାଜ ଗଠନ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ । ଗଣମାଧ୍ୟମ ସବୁବେଳେ ଗଠନ ମୂଳକ କାମ କରୁ । ହେଡଲାଇନ କେବେ ଡେଡ ଲାଇନ ନହେଉ । ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ଏହା ଗଣମାଧ୍ୟମ ମନେ ରଖିବା ଉଚ୍ଚିତ । ଶାସନ ଓ ଉନ୍ନତି ମୂଳକ କାର୍ଯ୍ୟରେ ଜନ ସାଧାରଣଙ୍କ ସଂପୃକ୍ତି ଜରୁରୀ । ସବୁ ସରକାରଙ୍କ ଉପରେ ଛାଡିଦେଲେ ଚଳିବ ନାହିଁ । ଭାରତରେ ଲୋକ ସଂଖ୍ୟା ବଢିବା ସହ ଗଣମାଧ୍ୟମ ସଂସ୍ଥା ମଧ୍ୟ ବଢିଛି, କେବଳ ପ୍ରତିଯୋଗୀତା ପାଇଁ ଗଣମାଧ୍ୟମ ବଢିବ ଉଚ୍ଚିତ ନୁହେଁ । ସାଧାରଣ ଲୋକଙ୍କ ପାଇଁ କାମ କରିବା ହେଉଛି ଗଣମାଧ୍ୟମର କର୍ତ୍ତବ୍ୟ।
ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ସମାଜକୁ ଶୁଭେଛା ଜଣାଇବା ସହ ଲୋକଙ୍କ ସ୍ବର ହୋଇ ରହିବାକୁ ଆହ୍ବାନ ଦେଇଥିଲେ । ଅନ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଡିଆ ଗଣତନ୍ତ୍ରର ଅକ୍ସିଜେନ ବୋଲି କହିବା ସହ ସମାଜର ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ସମାଜ’ର ସଫଳତା କାମନା କରିବା ସହ ନିଜ ବକ୍ତବ୍ୟରେ ଓଡିଆ ଜନଜୀବନର ଆସ୍ଥା, ଗରିବ ଓ ସାଧାରଣ ଲୋକମାନଙ୍କ ଆସ୍ଥା ‘ସମାଜ’ ଉପରେ ରହିଛି । ଯେଉଁ ଦାୟିତ୍ବବୋଧକୁ ‘ସମାଜ’ ତୁଳାଇଛି ତାହା ଜାରି ରଖୁ ବୋଲି କହିଥିଲେ ।
କଟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମାଜ’ର ସମସ୍ତ ବରିଷ୍ଠ ଅଧିକାରୀ ‘ସମାଜ’ର ସମ୍ପାଦକ ବାମପଦ ତ୍ରୀପାଠୀ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ