କଟକ: ସିଲଭରସିଟିରେ ମଶା ଆତଙ୍କ, ଅତିଷ୍ଠ ହେଲେଣି କଟକିଆ । ଦିନ ରାତି ଲୋକଙ୍କ ନିଦ ହଜାଇ ଦେଲେଣି ଏହି ମଶା ବଂଶବୃଦ୍ଧି । ବଡ଼ ନାଳ ଓ ଶାଖା ନାଳ ଚାରି ଆଡ଼େ ବଢୁଛି ମଶାଙ୍କ ବଂଶ । ଆଉ ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । ଗୋଟିଏ ପଟେ ସିଏମସିର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଥିଲା ବେଳେ ଅନ୍ୟପଟେ ଲୋକେ ଏହି ମଶା ରୂପକ ଅସୁବିଧାରୁ କେବେ ମୁକୁଳିବେ ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ବ ।
ରାସ୍ତାଘାଟ, ଘରଦ୍ୱାର, ଦୋକାନ ବଜାର ସବୁଠି ମଶାଙ୍କ ଦୌରାତ୍ମ୍ୟ ଏତେ ମାତ୍ରାରେ ବଢିଯାଇଛି ଲୋକେ ଭୟଭୀତ ହୋଇପଡିଛନ୍ତି । ପରିସ୍ଥିତି ଏପରି ହେଲାଣି ଘରୁ ବାହାରିଲେ ଦେହରେ ନାନାବିଧ ଔଷଧ ଲଗାଇବାକୁ ପଛାଉ ନାହାନ୍ତି କଟକ ବାସିନ୍ଦା । ନାଳନର୍ଦ୍ଦମା ଠିକ ସମୟରେ ସଫା ନହେବା, ମଶା ତେଲ ଓ ମଶା ଧୂଆଁ ଦିଆଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ଏହାଛଡା ଅନାବନା ଘାସ ବୁଦା ଦ୍ୱାରା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ଡେଙ୍ଗୁ, ମ୍ୟାଲେରିଆର ଭୟରେ ଛାନିଆ ହୋଇଛନ୍ତି ସହରବାସୀ ।
ଗୋଟିଏ ପଟେ ଲୋକେ ଏପରି ସ୍ଥିତିରେ ଅସନ୍ତୁଷ୍ଟ ଥିଲା ବେଳେ ଅନ୍ୟପଟେ ପୂର୍ବତନ କର୍ପୋରେଟର ମଧ୍ୟ ଲୋକଙ୍କ ସହ ମିଶାଇଛନ୍ତି ସ୍ୱର । ଯେତେ ଟଙ୍କା ଧାର୍ଯ୍ୟ ହେଉଛି ତାହାକୁ ମହାନଗର ନିଗମ ଚଳୁ କରୁଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ କର୍ପୋରେଟର । ଯାହା ସିଧାସଳଖ କଟକ ମହାନଗର ନିଗମର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ମଶା ସଂଖ୍ୟା ବୃଦ୍ଧି ପାଇଥିବା କଥାକୁ ସ୍ଵୀକାର କରିଛନ୍ତି ସିଏମସି କମିଶନର । ସହରରେ ମଶା ବଂଶ ବଢିଛି ସତ ହେଲେ, ତାହାକୁ ନିପାତ କରିବା ପାଇଁ ନିଗମ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ନାଳୀଗୁଡିକୁ ସଫା କରି ସେଥିରେ ମଶା ତେଲ ପକାଯାଉଛି । ମଶା ନିୟନ୍ତ୍ରଣ ପାଇଁ ସିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 59ଟି ୱାର୍ଡରେ ଟିମ ମଧ୍ୟ ପଠା ଯାଉଛି, ଏହାସହ ରିଭ୍ୟୁ ମଧ୍ୟ ନିଆଯାଉଛି । ସ୍ଥିତିରେ ଶୀଘ୍ର ସୁଧାର ଆସିବା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ସିଏମସି କତ୍ତୃପକ୍ଷ ।
ତେବେ ଅବସ୍ଥା ଯେମିତି ହେଲାଣି ମଶାରି ଟାଙ୍ଗି ଘରେ ଛୋଟ ପିଲାଙ୍କୁ ରଖିବାକୁ ପଡ଼ୁଛି । କାରଣ ଗୋଟିଏ ପଟେ ଡେଙ୍ଗୁର ଭୟ ଅନ୍ୟପଟେ ମ୍ୟାଲେରିଆ । ସବୁ ଦିଗକୁ ଦେଖିଲା ବେଳକୁ ଅସ୍ତବ୍ୟସ୍ତ ହୋଇପଡିଲେଣି କଟକବାସୀ । ତେବେ କେବେ ସୁଧୁରିବ ସ୍ଥିତି ତାହା ଉପରେ ନଜର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ