କଟକ : ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ ସହର । କଟକର ବାଣିଜ୍ୟିକ କେନ୍ଦ୍ର ମାଲଗୋଦାମରୁ ମିଳିଛି ନକଲି ସସ୍ । ସାରା ରାଜ୍ୟର ବ୍ୟବସାୟୀ ଓ ଗ୍ରାହକଙ୍କ ଏଠାରେ କିଣାବିକା ପାଇଁ ଭିଡ ଜମୁଥିବାବେଳେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଏଠାରେ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ସସ୍ ।
ମାଲଗୋଦାମରେ ଥିବା ଏହି ଅପମିଶ୍ରିତ ସସ୍ ଗୋଦାମରେ ଚଢାଉ କରିଛି ମାଲଗୋଦାମ ଥାନା ପୋଲିସ । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି । ଏହି ଘଟଣାରେ ମାଲଗୋଦାମ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ବିଶେଷକରି ଏହି ଘଟଣାରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ଏବଂ ଏହା ପ୍ରସ୍ତୁତ କରିବା ସାମଗ୍ରୀ କେଉଁଠୁ ଆସିଛି ସେନେଇ ତଥ୍ୟ ଓଗାଳୁଛି ପୋଲିସ ।
ଏହାସହ ବାରଙ୍ଗଠାରେ ଥିବା ନକଲି ସସ୍ କାରଖାନାରେ ମଧ୍ୟ ଚଢାଉ କରିଛି ପୋଲିସ। ମାଲଗୋଦାମ ଏବଂ ଏହାର ଆଖପାଖ ଦୋକାନରେ ବିକ୍ରୟ କରାଯାଉଥିଲା ଏହି ନକଲି ସସ । କେବେ ଠାରୁ ଏହା ପ୍ରସ୍ତୁତ କରାଯାଉଥିଲା ସେନେଇ ତଦନ୍ତ କରୁଛି ପୋଲିସ। ଏହି ବ୍ରାଣ୍ଡର ମଧ୍ୟ ଲାଇସେନ୍ସ ନଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରସ୍ତୁତ କରାଯାଉଥିବାବେଳେ ପୋଲିସ କାହିଁକି ଜାଣିପାରୁ ନଥିଲା ?
ଇଟିଭି ଭାରତ, କଟକ