କଟକ: ଓଡିଶାର କୋଣଅନୁକୋଣରେ ରହିଛି ଅନେକ ଐତିହାସିକ କିମ୍ବଦନ୍ତୀ । ଯାହାମଧ୍ୟରୁ କଟକର ଗଡଖାଇ ଅନ୍ୟତମ । ହଜାର ବର୍ଷର ପୁରୁଣା ସହର କଟକର ମୁକସାକ୍ଷୀ ସାଜିଥିବା ଏହି ଗଡ଼ଖାଇ ଉତ୍କଳୀୟ ଐତିହ୍ୟର ପରିଚୟ ବହନ କରେ । ହେଲେ ବୈଜ୍ଞାନିକ ଓ ଭାସ୍କର୍ଯ୍ୟ କଳାର ପ୍ରତୀକ ଭାବରେ ପରିଚିତ ବାରବାଟୀ ଦୁର୍ଗ ଏବଂ ଗଡ଼ଖାଇ ଏବେ ଧ୍ଵଂସାଭିମୁଖୀ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ଵାରା ପରିଚାଳିତ ଏହି କୀର୍ତ୍ତିରାଜିର ପୁନଃରୁଦ୍ଧାର ପାଇଁ ଅନେକ ଯୋଜନା ହୋଇଛି ସତ କିନ୍ତୁ ସେସବୁ କେବଳ କାଗଜ ଓ କଲମରେ ସୀମିତ ହୋଇ ରହିଯାଇଛି । ଏହି ଐତିହାସିକ କିମ୍ବଦନ୍ତୀର ସୁରକ୍ଷା ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ କଟକ ମହାନଗର ନିଗମ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ASIର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।
୧୪୦୦ ଶତାବ୍ଦୀରେ ଗଙ୍ଗ ଵଂଶ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ଐତିହାସିକ ବାରବାଟୀ ଦୁର୍ଗ ନିର୍ମାଣ ହୋଇଥିଲା । ଶତ୍ରୁ କବଳରୁ ଦୁର୍ଗର ପାଇଁ ସୁରକ୍ଷା କବଚ ସାଜିଥିଲା ଗଡ଼ଖାଇ । ବିଷଧର ସର୍ପଠୁ ଆରମ୍ଭ କରି ବଡ଼ ବଡ଼ କୁମ୍ଭୀର ପର୍ଯ୍ୟନ୍ତ ଏହି ଖାଇରେ ରଖାଯାଇ ଦୁର୍ଗର ସୁରକ୍ଷା କରାଯାଉଥିଲା । ପରେ ମୋଗଲ, ମରହଟ୍ଟା ଓ ଶେଷରେ ବ୍ରିଟିଶମାନେ ମଧ୍ୟ ଏହି ଦୁର୍ଗକୁ ଆକ୍ରମଣ କରିଥିଲେ । ମାତ୍ର ଢାଲ ଭଳି ଶତ୍ରୁଙ୍କ ଆଗରେ ମୁଣ୍ଡ ଟେକି ଛିଡ଼ା ହୋଇଥିଲା ଗଡ଼ଖାଇ । ଏହିପରି ଅନେକ ଗାଥା ବହନ କରୁଥିବା ଗଡ଼ଖାଇ ଆଜି ପ୍ରାୟ ଜୀର୍ଣ୍ଣପ୍ରାୟ । ନା ଅଛି ରକ୍ଷଣାବେକ୍ଷଣ ନା ଅଛି ପ୍ରଶାସନିକ ତତ୍ପରତା । ହଜିବାକୁ ବସିଛି ଏହି ଐତିହ କୀର୍ତ୍ତୀରାଜି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଐତିହାସିକ ।
ଗଡ଼ଖାଇର ସୁରକ୍ଷା ଓ ସଂରକ୍ଷଣକୁ ନେଇ ବିଭିନ୍ନ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀ ଲଢେଇ ଜାରି ରଖିଛନ୍ତି । ବାରମ୍ବାର ଏଏସଆଇ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଏଏସଆଇର କାର୍ଯ୍ୟଧାରା ଉପରେ ଆଙ୍ଗୁଳି ଉଠାଇଛି । ଅନେକ ସଙ୍ଗଠନ ମଧ୍ୟ ଏନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି । ଅନ୍ୟପଟେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗରେ ଗଡ଼ଖାଇର ପୁନଃରୁଦ୍ଧାର ପାଇଁ ଟଙ୍କା ପୈଠ କରି ସାରିଛି କଟକ ମହାନଗର ନିଗମ । ଏପରିକି ପୂର୍ବ ପଟରେ ପୁନଃରୁଦ୍ଧାର କାମ ମଧ୍ୟ ଆରମ୍ଭ ହୋଇଛି । ଦଳ କାଢ଼ିବା ଠୁ ଆରମ୍ଭ କରି ପଥରର ପ୍ରାଚୀର ନିର୍ମାଣ କାର୍ଯ୍ୟ କରାଯାଉଛି । ବାରବାଟୀ ଦୁର୍ଗର ସାମ୍ନା ଓ ପଛପଟ ଖାଇର ପ୍ରାଚୀର ପାଇଁ ମୋଟ 8 କୋଟି ଟଙ୍କା ମଞ୍ଜୁର କରିଛି ସିଏମସି । ତେବେ ଏଏସଆଇର କାର୍ଯ୍ୟ କରିବା ପ୍ରକ୍ରିୟାରେ ଭିନ୍ନତା ଯୋଗୁଁ ପୁନଃରୁଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା କହିଛନ୍ତି ସିଏମସି କମିଶନର । ଏସବୁ ଭିତରେ କେବେ ଏହି କୀର୍ତ୍ତିରାଜିର ସୁରକ୍ଷା ଓ ପୁନଃରୁଦ୍ଧାର ହେଉଛି ତାହାକୁ ହିଁ ଅପେକ୍ଷା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ