କଟକ: କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି (Cuttack Druggist Association Cancels Membership Of 2 Distributors) । ଏନେଇ କଟକ ଡିସିପି କହିଛନ୍ତି, ''ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଏହା ଏକ ସମ୍ବେଦନଶୀଳ ଘଟଣା । ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଛି'' । ଅନ୍ୟପଟେ ନକଲି ମେଡିସିନ ବିକୁଥିବା ଦୁଇ ହୋଲସେଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ ।
ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଦ କରିଛି ସଂଘ । ଏଥିସହ ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ଏହି ନକଲି କାରବାର କରୁଥିବା ଦୁଇ ହୋଲସେଲର ହେଉଛନ୍ତି ପୂଜା ଏଣ୍ଟରପ୍ରାଇଜେସ, ଭିଆର ଡ୍ରଗ ଏଜେନ୍ସି । ତେବେ ଉଭୟଙ୍କ ନାମରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ନକଲି ଔଷଧ କାରବାର ମାମଲା, ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା
ସୂଚନାନୁସାରେ, ଶନିବାର କଟକରେ ନକଲି ଔଷଧ କାରବାର ଉପରେ ମଧ୍ୟ ଚଢ଼ଉ ହୋଇଛି । ''ଗ୍ଲେନମାର୍କ ଫାର୍ମା" ବ୍ରାଣ୍ଡରେ ବିକ୍ରି କରାଯାଉଥିଲା ଏହି ନକଲି ଔଷଧ । ତେବେ ଏହି ଘଟଣା ଜଣାପଡିବା ପରେ ଏହାର କାରବାର ଉପରେ କଟକଣା ଲାଗୁ କରାଯାଇଛି । ଏନେଇ କଟକ ମାଣିକଘୋଷ ବଜାର ଠାରେ ଥିବା ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି । ଭିଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସକୁ କଳା ତାଲିକାଭୁକ୍ତ କରାଯାଇଛି । ଏହି ଦୁଇ ଷ୍ଟକିଷ୍ଟଙ୍କ ବିରୁଦ୍ଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ ଦୁଇ ଷ୍ଟକିଷ୍ଟଙ୍କ ଜରିଆରେ ଏହି ନକଲି ଔଷଧ କାରବାର ଚାଲିଥିଲା । ଏପରିକି ନକଲି ବ୍ୟାଚ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି । ରକ୍ତ ଚାପ ରୋଗ ପାଇଁ ଉଦ୍ଦିଷ୍ଟ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା । ଏହା ଜଣା ପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ତଦନ୍ତ କରିଥିଲା ।
ତଦନ୍ତରୁ କଟକ ମାଣିକଘୋଷ ବଜାର ଠାରେ ଥିବା ଦୁଇଟି ଷ୍ଟକିଷ୍ଟ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସ୍ ଜରିଆରେ ମୋଟ 50 ଲକ୍ଷ ଟଙ୍କା ଔଷଧକୁ ବିକ୍ରି ପାଇଁ ପଠାଯାଇଥିବା ଜଣାପଡ଼ିଥିଲା । ସେଥିରୁ ଓଡ଼ିଶା ବଜାରକୁ ପ୍ରାୟ 30 ଲକ୍ଷ ଟଙ୍କାର ଔଷଧ ବିକ୍ରି ପାଇଁ ଛଡ଼ାଯାଇଥିବା ବେଳେ 20 ଲକ୍ଷ ଟଙ୍କାର ଔଷଧକୁ ଗୁଜୁରାଟ ଓ ପଶ୍ଚିମବଙ୍ଗର ବିଭିନ୍ନ ବ୍ୟବସାୟୀ ମାନଙ୍କ ପାଖକୁ ପଠାଯାଇଥିଲା ।
ନକଲି ବୋଲି ସନ୍ଦେହ ହେବା ପରେ ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା 30 ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରକୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି । ଗୁଜୁରାଟ ଓ ପଶ୍ଚିମବଙ୍ଗର ଡ୍ରଗ କଣ୍ଟ୍ରୋଲ ବିଭାଗକୁ ଏନେଇ ଅବଗତ ମଧ୍ୟ କରିଛି ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ । ତେବେ ଏହି ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ମଧ୍ୟ ମାମଲା ଦାୟର କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ ।
ଇଟିଭି ଭାରତ, କଟକ