କଟକ: ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ED) ଜେରା ଘଟଣା । ଆଜି (ଶୁକ୍ରବାର) ଦେଶବ୍ୟାପି କଂଗ୍ରେସର ପ୍ରତିବାଦ ଜାରି ରହିଛି । ଏହି କ୍ରମରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ହାତରେ କେନ୍ଦ୍ର ସରକାର ବିରୋଧୀ ବିଭିନ୍ନ ପ୍ଲାକାର୍ଡ ଧରି ଲିଙ୍କ ରୋଡ଼ ଛକରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ପରେ BSNL କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଥିଲେ ।
କଂଗ୍ରେସ କର୍ମୀ ବିଏସଏନଏଲ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ଅଟକାଇଥିଲା । ଫଳରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ତଦନ୍ତକାରୀ ଏଜେନ୍ସିଙ୍କ ଦ୍ବାରା ଅପଦସ୍ତ କରି କଂଗ୍ରେସ କର୍ମୀଙ୍କୁ ମୋଦି ସରକାର ଜାଗ୍ରତ କରୁଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରବି ମଲ୍ଲିକ ।
ବହୁ ଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ସମନ କରିଥିଲା । ପୂର୍ବରୁ ରାହୁଲ ଇଡି ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିବାବେଳେ ସୋନିଆ ସ୍ବାସ୍ଥ୍ୟଗତ କାରଣରୁ ହାଜର ହେବାକୁ ସମୟ ମାଗିଥିଲେ । ତେବେ ସୁସ୍ଥ ହେବାପରେ ସୋନିଆ ଇଡି ଜେରାକୁ ସାମ୍ନା କରିଛନ୍ତି । ସେପଟେ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତା ଏହାକୁ ବିରୋଧ କରିଛନ୍ତି ।
ଇଟିଭି ଭାରତ, କଟକ