କଟକ: ସାରା ରାଜ୍ୟରେ ଜାରି ରହିଛି ଆଶିଂକ ଲକଡାଉନ । ରାଜ୍ୟକୁ 2 ଗୋଟି କାଟାଗୋରୀରେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର । 20 ଟି ଜିଲ୍ଲା କାଟାଗୋରୀର କ’ ରେ ଥିବାବେଳେ 10 ଟି ଜିଲ୍ଲା କାଟାଗୋରୀ ବି’ ରେ ରହିଛି । ଏହାସହ ଆଜି ଠାରୁ ସାରା ରାଜ୍ୟରେ ମହାମାରୀ କରୋନା ମୁକାବିଲା ପାଇଁ ଜାରି ହୋଇଛି ନୂତନ ନିୟମ ।
ତେବେ ନୂତନ ନିୟମ ସହ କାଟାଗୋରୀ କ’ ରେ ଥିବା କଟକ ଜିଲ୍ଲାରେ ମଧ୍ୟ ଆଜି ଠାରୁ ସକାଳ 6 ରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଖୋଲା ରହିଥିଲା ଦୋକାନ ବଜାର । ଏହାର ସୁଯୋଗ ନେଇ ଯିଏ ଯୋଉଠି ପାରିଲେ ଖୋଲିଲେ ଦୋକାନ । ଯିଏ ଯେମିତି ପାରିଲେ ରାସ୍ତା ଘାଟରେ ଲଗାଇଲେ ଗହଳି । ନା ଥିଲା ସାମାଜିକ ଦୂରତା ନା ଥିଲା କୋଭିଡ ସଂକ୍ରମଣକୁ ଭୟ । ଲକଡାଉନ କୋହଳର ସୁଯୋଗ ନେଇ କଟକରେ ଆଜି ( ଗୁରୁବାର) ଲାଗି ରହିଥିଲା ଖଚାଖଚ ଭିଡ ।
ସରକାର ପୋଲିସ ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ବେ ଆଜି ଅମାନିଆଙ୍କ ପାଇଁ ଯେମିତି ଥିଲା କଚେ ପୁଅ ବାର । ଉଡିଥିଲା କୋଭିଡ ନିୟମର ଧଜିଆ । ଯାହା ବେଶ ଚିନ୍ତା ଜନକ । ଏପରି ସ୍ଥଳେ ପୋଲିସ ପ୍ରଶାସନକୁ କଠୋର ହେବାର ଦରକାର ବୋଲି କହିଛନ୍ତି କଟକବାସୀ ।
ସେହିପରି ସ୍ଥଳେ ପୋଲିସ ଅଧିକ କଠୋର ହେବା ସହ ନିୟମ କଡାକଡି ଭାବେ ପାଳନ କରିବାକୁ ଦାବି କରିଛି କଟକ ବିଜେପି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ