କଟକ: ସନ୍ଦେହ ଘେରରେ ନିଆଳି ଛେନା । ଆସିଲା ନିମ୍ନମାନ ଓ ଅପମିଶ୍ରିତ ଅଭିଯୋଗ । ଯାହାକୁ ନେଇ ଛେନାର ମାନ ଯାଞ୍ଚ କରିଛି ସିଏମସି ସ୍ଵାସ୍ଥ୍ୟ ବିଭାଗ । ଅଧିକା ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ ଓ ସେଠାରୁ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଛେନା ବ୍ୟବସାୟୀ ।
ପ୍ରତିଦିନ ନିଆଳି ଓ କାକଟପୁର ଅଞ୍ଚଳରୁ ୧୦୦ କ୍ବିଣ୍ଟାଲରୁ ଅଧିକା ଛେନା କଟକକୁ ଆସିଥାଏ । ଯାହା ସହରର ତଥା ଜିଲ୍ଲାର ବିଭିନ୍ନ ମିଠା ଦୋକାନକୁ ଯାଇଥାଏ । ଏହାଛଡା ପଡୋଶୀ ଜିଲ୍ଲାକୁ ମଧ୍ୟ ଯାଇଥାଏ ଏହି ଛେନା । ତେବେ ଏହି ଛେନା ନିମ୍ନମାନରର ଅଭିଯୋଗ ପରେ ଆଜି କଟକ ମହାନଗର ନିଗମର ସ୍ଵାସ୍ଥ୍ୟ ବିଭାଗ ଲିଙ୍କ ରୋଡ଼ ସ୍ଥିତ ଛେନା ବ୍ୟବସାୟ ସ୍ଥଳରେ ପହଞ୍ଚି ଛେନାର ମାନ ଯାଞ୍ଚ କରିଛି । ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, "କଟକକୁ ନିଆଳି ଓ କାକଟପୁର ଅଞ୍ଚଳରୁ ଆସୁଥିବା ଛେନାରେ ଅପମିଶ୍ରଣ ହେଉଥିବା ନେଇ ଅଭିଯୋଗ ଆସିଥିଲା । ଆଜି ଲିଙ୍କରୋଡରେ ୫ଟି ଛେନା ଗୁଡିକୁ ଅଟକ ରଖି ଯାଂଚ କରାଯାଇଛି । ଯାଂଚ ବେଳେ ଛେନାକୁ ଖାଲି ଆଖିରେ ଦେଖିଲେ ଏପରିକି ଏହାର ସ୍ବାଦ ପରୀକ୍ଷା କରିବା ପରେ ଏଥିରେ ଅପମିଶ୍ରଣ ହୋଇଥିବାର ସମ୍ଭାବନା ରହିଛି । ତେବେ ସଂଗୃହିତ ଛେନା ନମୂନାକୁ ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ସେପଟେ ବ୍ୟବସାୟୀ କହିଛନ୍ତି, "ଛେନାରେ କୌଣସି ଅପମିଶ୍ରଣ ହୋଇ ନାହିଁ । ଦୀର୍ଘ ୩୦ ବର୍ଷ ଧରି ବ୍ୟବସାୟ କରିବା ମଧ୍ୟରେ କେବେବି ନିମ୍ନ ମାନର ଛେନା ବଜାରରେ ବିକ୍ରି କରାଯାଇନାହିଁ ।"
ଇଟିଭି ଭାରତ, କଟକ