କଟକ: ରାଜ୍ୟରେ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସିଲଭର ସିଟିରେ ମଧ୍ୟ ତାଳ ଦେଇ ବଢିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏମିତିରେ ସୁରକ୍ଷା ଦୃଷ୍ଟିରୁ ଏସସିବି ମେଡିକାଲ କର୍ତ୍ତୃପକ୍ଷ ନେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବର୍ତ୍ତମାନ ମାତ୍ରାଧିକ ରୋଗୀଙ୍କର ମେଡିକାଲରେ ଭିଡ ଲାଗୁଥିବାରୁ ମେଡିକାଲର ସାନିଟାଇଜେସନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥିବା ମେଡିକାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ଏନେଇ ପ୍ରତି 8 ଘଣ୍ଟାରେ ଥରେ ମେଡିକାଲ କାଜୁଆଲିଟି ବିଭାଗକୁ ସାନିଟାଇଜ କରିବାର ନିଷ୍ପତ୍ତି ନିଆଯାଇଛି । ଏଠାରେ ବହୁ ମାତ୍ରାରେ ରୋଗୀ ଏକାଠି ହେଉଥିବାରୁ ଏହାର ସାନିଟାଇଜେସନ କରାଯିବା ସହ ଏହି ବିଭାଗରେ ରହିଥିବା ଡାକ୍ତରମାନେ ରୋଗୀ ଦେଖିବା ସମୟରେ ପିପିଇ କିଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ରୋକିବା ପାଇଁ ଉଭୟ ରୋଗୀ ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ସେପଟେ ମେଡିକାଲର କର୍ମଚାରୀ କୋରୋନାରେ ଆକ୍ରାନ୍ତ ହେବା ପରେ ମେଡିକାଲ ପରିସରକୁ ନିୟମିତ ସାନିଟାଇଜ କରାଯାଉଛି । ଏଥିସହ ମେଡିକାଲର ପ୍ରତ୍ୟେକ ବିଭାଗ ଓ ଚଳପ୍ରଚଳ ରାସ୍ତାକୁ ମଧ୍ୟ ସାନିଟାଇଜ କରାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ